ଶ୍ରୀମନ୍ଦିରରେ ଆମିକସ କ୍ୟୁରୀଙ୍କ ଅଧ୍ୟକ୍ଷତାରେ ଚାଲିଥିବା ବୈଠକ ଶେଷ ହୋଇଛି । ବୈଠକ ଶେଷ ହେବା ପରେ ୧୨ଟି ପ୍ରସ୍ତାବ ଉପରେ ଆଲୋଚନା ହୋଇଥିବା ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି । ପ୍ରସ୍ତାବ ଗୁଡିକ ମଧ୍ୟରୁ ୩ଟି ପ୍ରସ୍ତାବ ଉପରେ ଅସହମତି ପ୍ରକାଶ ପାଇଥିଲା । ଆଲୋଚନା ସମୟରେ ଶ୍ରୀମନ୍ଦିର ନୀତି , ପ୍ରଥା ଓ ପରମ୍ପରା ବିଷୟରେ ଅବଗତ କରାଯାଇଥିବା ସେ ପ୍ରକାଶ କରିଛନ୍ତି । ତେବେ ଆନନ୍ଦ ବଜାରରେ ଲଗା ଯାଇଥିବା ଅବଢା ଦର ତାଲିକା ପ୍ରଶାସନର ଅନୁମୋଦନ ପାଇନଥିବାରୁ ଏହାକୁ ହଟାଇବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।
ଆଜି ସକାଳେ କେହି ଆନନ୍ଦବଜାରରେ ଅବଢାର ମୂଲ୍ୟ ଲେଖାଥିବା ଏକ ତାଲିକା ମାରିଥିଲେ । ଭକ୍ତମାନେ ଆନନ୍ଦ ବଜାରରେ ଅବଢା କିଣିବା ବେଳେ ଠକାମିର ଶିକାର ହେଉଥିବା ପରିପ୍ରେକ୍ଷୀରେ ଏହି ଅବଢା ତାଲିକା ମରାଯାଇଥିବା କୁହାଯାଉଥିବାବେଳେ ଶ୍ରୀମନ୍ଦିର ପ୍ରଶାସନ ଏହାକୁ ଅନୁମୋଦନ କରିନଥିବା ଜଣାପଡିଛି । ଏଥିସହ ଅବଢା ଦର ତାଲିକାକୁ ଶ୍ରୀମନ୍ଦିର ପରିଚାଳନା ସମିତି ମଧ୍ୟ ଅନୁମୋଦନ କରିନାହିଁ । କିଏ ଏପରି ତାଲିକା ମାରିଛନ୍ତି ତାହା ସେ ଜାଣିନାହାଁନ୍ତି କିମ୍ବା ଏହି ଅବଢା ଦର ତାଲିକାକୁ ଶ୍ରୀମନ୍ଦିର ପ୍ରଶାସନ ଅନୁମୋଦନ କରିନାହିଁ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦିପ୍ତ ମହାପାତ୍ର କହିଛନ୍ତି ।
ଏଥିସହ ଲଗାଯାଇଥିବା ଦର ତାଲିକାକୁ ପ୍ରଶାସନ ହଟାଇ ଦେଇଛି ।ଶ୍ରୀମନ୍ଦିର ପରିଚାଳନା ସମିତି ଅବଢା ଦର ତାଲିକାକୁ ଅନୁମୋଦନ କରିବାପରେ ନୂତନ ତାଲିକା ଶ୍ରୀଜଗନ୍ନାଥ ମନ୍ଦିର ଆନନ୍ଦ ବଜାରରେ ଲଗାଯିବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ସୁଚନା ଦେଇଛନ୍ତି ।
ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ତଥା ଶ୍ରୀମନ୍ଦିର ସଂସ୍କାର ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ କ୍ୟୁରୀ ଗୋପାଳ ସୁବ୍ରମଣ୍ୟମ ଆଜି ସକାଳେ ଶ୍ରୀ ଜିଉଙ୍କ ଦର୍ଶନ କରିବା ପରେ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀମାନଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦିପ୍ତ କୁମାର ମହାପାତ୍ର, ଜିଲ୍ଲାପାଳ ଜ୍ୟୋତିପ୍ରକାଶ ଦାସ, ଏସପି ଡା. ସାର୍ଥକ ଷଡଙ୍ଗୀ ଓ ମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରୀମାନଙ୍କ ସହିତ ଶ୍ରୀ ସୁବ୍ରମଣ୍ୟମ ଶ୍ରୀମନ୍ଦିର ସଂସ୍କାର ନେଇ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ ।

LEAVE A REPLY

Please enter your comment!
Please enter your name here