୬୫ ବର୍ଷ ବୟସରେ ପାଦ ଦେଲେ ବଲିଉଡ୍ ର ଏଭର୍ ଗ୍ରୀନ୍ ଅଭିନେତ୍ରୀ ରେଖା | ଜନ୍ମ ଦିନର ଶୁଭେଚ୍ଛା ଜଣାଇବା ପାଇଁ ରେଖାଙ୍କ ପାଖକୁ ଛୁଟିଲା ବଲିଉଡର ବହୁ ନାମୀଦାମୀ କଳାକାରଙ୍କ ଶୁଭେଚ୍ଛା ବାର୍ତା | ୧୯୫୪ ମସିହା ଅକ୍ଟୋବର ୧୦ ତାରିଖରେ ଚେନ୍ନାଇରେ ଜନ୍ମ ଗ୍ରହଣ କରିଥିଲେ ରେଖା | ତାଙ୍କ ପିତା ଓ ମା ଉଭୟ ତେଲୁଗୁ ଫିଲ୍ମର ଜଣା ଶୁଣା ଅଭିନେତା ଓ ଅଭିନେତ୍ରୀ ଥିଲେ | ପିଲାଟି ବେଳୁ ନିଜ ବାପାଙ୍କ ଠାରୁ ଦୁରେଇ ରହୁଥିଲେ ରେଖା | ତେବେ ମାଙ୍କ ନିକଟରେ ଲାଳନ ପାଳନ ହୋଇଥିବା ରେଖା ଛୋଟ ବୟସରୁ ଅଭିନୟ ଦୁନିଆରେ ପାଦ ଦେଇଥିଲେ | ରେଖାଙ୍କ ପ୍ରକୃତ ନାଁ ଭାନୁରେଖା ଗଣେଶନ୍ । ବ୍ୟକ୍ତିଗତ ଜୀବନ ହେଉ କିମ୍ବା ପେସା ରେଖା ସବୁବେଳେ ଲାଇମ୍ ଲାଇଟରେ ରହିବା ସହ ଖୁବ୍ ସଂଘର୍ଷ ମଧ୍ୟ କରିଛନ୍ତି । ପିଲାବେଳୁ ହିଁ ବାପାଙ୍କ ଠାରୁ ଦୂରେଇ ରହୁଥିବା ରେଖା ଏକ ସାକ୍ଷାତକାରରେ କହିଥିଲେ , ମୋ ଜୀବନରେ ଫାଦର୍ ଶବ୍ଦର ଅର୍ଥ କେବଳ ଗୀର୍ଜାର ଫାଦର , ବ୍ୟକ୍ତିଗତ ଜୀବନରେ ମୁଁ ଏହି ଶବ୍ଦର ଅର୍ଥ ହିଁ ଜାଣିନାହିଁ | ପ୍ରଥମ ଥର ୧୯୬୬ ରେ ତେଲୁଗୁ ସିନେମା “ରଙ୍ଗୁଲା ରତ୍ନମ୍” ରୁ ଅଭିନୟ ଆରମ୍ଭ କରିଥିବା ରେଖା ଏହି ସିନେମାରେ ଶିଶୁ କଳାକାର ରୂପେ ନଜର ଆସିଥିଲେ । ପ୍ରଥମେ କିଛି ସାଉଥ୍ ସିନେମାରେ କାମ କରିବା ପରେ ନିଜ ଭାଗ୍ୟ ପରୀକ୍ଷା କରିବା ପାଇଁ ମୁମ୍ବାଇ ଆସିଯାଇଥିଲେ । ମୁମ୍ବାଇରେ ଖୁବ୍ ସଂଘର୍ଷ କରିବା ପରେ ସେ “ସାବନ୍ ଭାଦୋ” (୧୯୭୦) ଚଳଚ୍ଚିତ୍ରରେ ପ୍ରଥମଥର ପାଇଁ ଅଭିନୟ କରି ରାତାରାତି ଷ୍ଟାର୍ ମଧ୍ୟ ପାଲଟିଯାଇଥିଲେ | ତାପରେ ଗୋଟିଏ ଗୋଟିଏ ସଫଳତାର ସିଢି ଚଢ଼ିଥିଲେ ରେଖା | ନିଜ ଅଭିନୟର ଯାଦୁ ପାଇଁ ସେ ଯେତେ ଚର୍ଚ୍ଚାରେ ରୁହନ୍ତି ତାଠୁ ଅଧିକ ପ୍ରେମ ଏବଂ ବିବାହକୁ ନେଇ ମଧ୍ୟ ରେଖା ଖୁବ୍ ଚର୍ଚ୍ଚାରେ ରହିଆସିଛନ୍ତି | ଅମିତାଭ୍ ବଚ୍ଚନଙ୍କ ସହ ପ୍ରେମ ସଂପର୍କକୁ ନେଇ ସେ ଖୁବ୍ ଚର୍ଚ୍ଚାରେ ଥିଲେ |

LEAVE A REPLY

Please enter your comment!
Please enter your name here