ନାଗାଲାଣ୍ଡ: ନାଗାଲାଣ୍ଡରେ ବିଷାକ୍ତ ମଦ ପିଇ ୨ ଦିନରେ ୧୯ ଜଣ ପ୍ରାଣ ହରାଇଛନ୍ତି । ୧୯ ଜଣଙ୍କ ଜୀବନ ଯିବା ପରେ ପୋଲିସ ପକ୍ଷରୁ ଗଠନ କରାଯାଇଛି ସ୍ୱତନ୍ତ୍ର ତଦନ୍ତକାରୀ ଟିମ । ରାଜ୍ୟ ଭିତରକୁ କେମିତି ବିଷାକ୍ତ ମଦ ପ୍ରବେଶ କରୁଛି, ତା’ର ମୂଳରେ ପହଞ୍ଚିବାକୁ ତଦନ୍ତକାରୀ ଟିମ ଉଦ୍ୟମ କରୁଛି। ୧୯୯୦ରୁ ନାଗାଲ୍ୟାଣ୍ଡରେ ମଦକୁ ସଂପୂର୍ଣ୍ଣ ବ୍ୟାନ କରାଯାଇଛି। ତଥାପି ଏଠାରେ ବିଷାକ୍ତ ମଦ କେମିତି ଜୀବନ ନେଲା ତାହା ଉପରେ ପ୍ରଶ୍ନ ଉଠିଛି | ପୋଲିସ ସୂଚନା ଅନୁସାରେ, ମୋକୋକଚୁଙ୍ଗ ଜିଲ୍ଲାରେ ସନ୍ଦିଗ୍ଧ ବିଷାକ୍ତ ମଦ ପିଇ ୮ ଜଣ ପ୍ରାଣ ହରାଇଥିବା ବେଳେ ତୁଇନସାଙ୍ଗ ଜିଲ୍ଲାରେ ୧୧ ଜଣଙ୍କ ମୃତ୍ୟୁ ହୋଇଛି। ଏହାର ତଦନ୍ତ ପାଇଁ ଅତରିକ୍ତ ଏସ୍‌ପି ଆଇ ବୁଙ୍ଗଲାଙ୍ଗ ଚାଙ୍ଗଙ୍କ ନେତୃତ୍ୱରେ ଏସ୍‌ଆଇଟି ଗଠନ କରାଯାଇଛି। ଏସଆଇଟି ମୃତ୍ୟୁର ତଦନ୍ତ କରିବା ସହ ନକଲି ମଦ କେମିତି ରାଜ୍ୟରେ ପ୍ରବେଶ କରୁଛି, ତା’ର ଖୋଳତାଡ଼ କରିବ। ମୃତ୍ୟୁର କାରଣ ଜାଣିବା ପାଇଁ ପୋଲିସ ପକ୍ଷରୁ ଗୁଆହାଟୀ ସ୍ଥିତ ଫରେନ୍ସିକ ଲ୍ୟାବ୍‌କୁ ନମୁନା ପଠାଯାଇଛି। ପରୀକ୍ଷା ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ । ଘଟଣା ପରେ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୧୯ ଜଣଙ୍କୁ ଗିରଫ କରିଛି । ପ୍ରାୟ ୩ ହଜାର ବୋତଲ ମଦ ମଧ୍ୟ ଜବତ କରାଯାଇଛି । ଲୋକଙ୍କୁ ଅଚିହ୍ନା, ଲେବଲ ନଥିବା କିମ୍ବା ସନ୍ଦିଗ୍ଧ ନକଲି ମଦ ପିଇବା ଠାରୁ ଦୂରେଇ ରହିବାକୁ ପୋଲିସ ପରାମର୍ଶ ଦେଇଛି।

LEAVE A REPLY

Please enter your comment!
Please enter your name here