ଭୁବନେଶ୍ୱର: (AIIMS) ହସ୍ପିଟାଲରେ ରୋଗୀଙ୍କ ଚିକିତ୍ସାରେ ଅବହେଳା ଅଭିଯୋଗ ଆଣି ମୃତ ରୋଗୀଙ୍କ ସମ୍ପର୍କୀୟମାନେ ଜଣେ ଇଣ୍ଟର୍ଣ୍ଣ ଡାକ୍ତରଙ୍କ ସହ ହସ୍ପିଟାଲ କର୍ମଚାରୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ଡାକ୍ତର ଆହତ ହୋଇଥିବା ସୂଚନା ମିଳିଛି । ଘଟଣା ପରେ ମେଡିସିନ ବିଭାଗର B-6 ୱାର୍ଡରେ କିଛି ସମୟ ପାଇଁ ଅସ୍ଥିର ପରିସ୍ଥିତି ସୃଷ୍ଟି ହୋଇଥିଲା । ସୂଚନା ଅନୁସାରେ, ଭୁବନେଶ୍ୱର ଉପକଣ୍ଠ ଯାଆଳା ଅଞ୍ଚଳର ୩୪ ବର୍ଷୀୟ ଶିବଶଙ୍କର ବେହେରା ବିଷ ପିଇ ଜୀବନ ହାରିବାକୁ ଉଦ୍ୟମ କରି ତିନି ଦିନ ପୂର୍ବେ ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି ହୋଇଥିଲେ । ଆଜି ସକାଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ପରିବାର ଲୋକଙ୍କ କହିବା ଅନୁଯାୟୀ, ଗତକାଲି ପର୍ଯ୍ୟନ୍ତ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିଲା ଏବଂ ସେ ସମସ୍ତଙ୍କ ସହ କଥାବାର୍ତ୍ତା ମଧ୍ୟ କରୁଥିଲେ । କିନ୍ତୁ ଆଜି ହଠାତ୍ ତାଙ୍କର ମୃତ୍ୟୁ ଘଟିଥିଲା । ତାଙ୍କ ମୃତ୍ୟୁ ପରେ, ମୃତକ ଶିବଶଙ୍କରଙ୍କ ପରିବାର ସଦସ୍ୟ ଏବଂ କିଛି ସ୍ଥାନୀୟ ଗ୍ରାମବାସୀ ଅଭିଯୋଗ କରିଥିଲେ ଯେ, ଚିକିତ୍ସାରେ ଅବହେଳା ଯୋଗୁଁ ତାଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ଭାଇ ଅଭିଯୋଗ କରିଛନ୍ତି, “ଡାକ୍ତରମାନେ ଦୀର୍ଘ ସମୟ ଧରି ରୋଗୀ ଭେଣ୍ଟିଲେଟରରେ ଥିବା କହୁଥିଲେ, କିନ୍ତୁ ସ୍ୱାସ୍ଥ୍ୟ ସମ୍ପର୍କରେ ସ୍ପଷ୍ଟ ସୂଚନା ଦେଉନଥିଲେ । ଶିବଶଙ୍କରଙ୍କ ମୃତ୍ୟୁକୁ ନେଇ ଏମ୍ସ ପରିସରରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଥିଲା । ଉତ୍ତ୍ୟକ୍ତ ଲୋକ ଓ ହସ୍ପିଟାଲ କର୍ମଚାରୀ ମୁହାଁମୁହିଁ ହୋଇଥିଲେ । ଉତ୍ତ୍ୟକ୍ତ ଲୋକ ଡ୍ୟୁଟିରେ ଥିବା ଜଣେ ଡାକ୍ତରଙ୍କୁ ଆକ୍ରମଣ କରିଥିଲେ । ଖବର ପାଇ ଖଣ୍ଡଗିରି ଥାନା ପୋଲିସ ଏମ୍ସ ହସ୍ପିଟାଲରେ ପହଁଚି ଉତ୍ତ୍ୟକ୍ତ ଲୋକଙ୍କୁ କାବୁ କରି ଥାନାକୁ ନେଇଛି ।










