ଖଣ୍ଡଗିରି: ନବବଧୂଙ୍କୁ ହତ୍ୟା କରାଯିବା ଏବଂ ପରେ ଏହାକୁ ଆତ୍ମହତ୍ୟାର ରୂପ ଦେବାକୁ ଉଦ୍ୟମ ଅଭିଯୋଗରେ ଭରତପୁର ଥାନା ପୋଲିସ ସ୍ୱାମୀ, ଶଶୁର ଓ ଶାଶୂଙ୍କୁ ଗିରଫ କରି ଅଦାଲତ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ହେଲେ ଭରତପୁର ଅଞ୍ଚଳରେ ରହୁଥିବା ସ୍ବାମୀ ସଚିନ ଦାସ, ଶଶୁର ରାଜେଶ କୁମାର ଦାସ ଓ ଶାଶୁ ରୀତା ଦାସ। ସ୍ୱାମୀ ସଚିନ ଏକ ବ୍ୟାଙ୍କରେ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିବା ଜଣାପଡ଼ିଛି। ମୃତ ମହିଳା ହେଲେ ସ୍ନେହା ଗୁପ୍ତା। ମିଳିଥିବା ଖବର ଅନୁଯାୟୀ, ପଶ୍ଚିମବଙ୍ଗର ଗରୁଳିଆ ଅଞ୍ଚଳର ଯୋଗେନ୍ଦ୍ର ପ୍ରସାଦ ଗୁପ୍ତାଙ୍କ ଝିଅ ସ୍ନେହାଙ୍କ ବିବାହ ୨୦୨୫ ଡିସେମ୍ବର ୨୧ରେ ନୈହାଟି ଅଞ୍ଚଳର ସଚିନଙ୍କ ସହ ହୋଇଥିଲା। ବିବାହ ପରଠାରୁ ଅଧିକ ଯୌତୁକ ଦାବି କରି ସ୍ୱାମୀ, ଶ୍ୱଶୁର ଓ ଶାଶୂ ତାଙ୍କୁ ମାନସିକ ନିର୍ୟାତନା ଦେଉଥିବା ଏତଲାରେ ଦର୍ଶାଯାଇଛି। ଏଥିସହ ସଚିନଙ୍କ ଅନ୍ୟ ଜଣେ ମହିଳାଙ୍କ ସହ ସମ୍ପର୍କ ଥିବା ଏବଂ ଏହାକୁ କେନ୍ଦ୍ର କରି ସେ ସ୍ନେହାଙ୍କୁ ବାରମ୍ବାର ମାନସିକ ନିର୍ୟାତନା ଦେବା ସହ ମରିଯିବାକୁ କହୁଥିବା ଅଭିଯୋଗ ହୋଇଛି। ଗତ ୧୭ ତାରିଖରେ ସ୍ନେହାଙ୍କ ମୃତ୍ୟୁ ହୋଇଥିଲା। ତାଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଝୁଲାଇ ଦେଇ ଘଟଣାକୁ ଆତ୍ମହତ୍ୟାର ରୂପ ଦେବାକୁ ସ୍ୱାମୀ ଉଦ୍ୟମ କରିଥିବା ମୃତକଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି।

LEAVE A REPLY

Please enter your comment!
Please enter your name here