କେନ୍ଦ୍ରାପଡା: ଆଜିଠାରୁ କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ବନଖଣ୍ଡ ଅଧୀନରେ ଥିବା ଭିତରକନିକା ଜାତୀୟ ଉଦ୍ୟାନ ଓ ଅଭୟାରଣ୍ୟର ବିଭିନ୍ନ ଅଞ୍ଚଳରେ ବାର୍ଷିକ ଦେଶୀୟ ପକ୍ଷୀ ଗଣନା ଆରମ୍ଭ ହୋଇଛି। ଏହି ଗଣନା କାର୍ଯ୍ୟ କ୍ରମାଗତ ତିନି ଦିନ ଧରି ଚାଲିବ। ସୂଚନା ଅନୁଯାୟୀ, ଉଦ୍ୟାନର ମଠାଆଡ଼ିଆ, ଦୁର୍ଗାପ୍ରସାଦ ଦିଆ ଏବଂ ଲକ୍ଷ୍ମୀ ପ୍ରସାଦ ଦିଆ ଆଦି ଅଞ୍ଚଳରେ ଏହି ତିନି ଦିନିଆ ଗଣନା କରାଯିବ। ଏହି କାର୍ଯ୍ୟ ପାଇଁ ବନ ବିଭାଗର ୪ଟି ଟିମ୍ ନିୟୋଜିତ ହୋଇଛନ୍ତି ଏବଂ ପ୍ରତ୍ୟେକ ଟିମ୍‌ରେ ୪ ରୁ ୫ ଜଣ ବନ କର୍ମଚାରୀ ସାମିଲ ଅଛନ୍ତି। ପକ୍ଷୀ ବିଶେଷଜ୍ଞମାନଙ୍କ ନେତୃତ୍ୱରେ ଏହି ଗଣନା କାର୍ଯ୍ୟ କରାଯାଉଛି। ଗତକାଲି ବନ ବିଭାଗ କର୍ମଚାରୀମାନଙ୍କୁ ଏହି ଗଣନା ପାଇଁ ସ୍ୱତନ୍ତ୍ର ତାଲିମ ପ୍ରଦାନ କରାଯାଇଥିଲା। ପ୍ରତିଦିନ ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଏହି ଗଣନା କାର୍ଯ୍ୟ ଜାରି ରହିବ। ଏହି ଅଭିଯାନ ସମୟରେ ପ୍ରାୟ ୧୦ ପ୍ରଜାତିର ପକ୍ଷୀଙ୍କ ଗଣନା କରାଯିବ। ଏହି ପକ୍ଷୀମାନଙ୍କ ମଧ୍ୟରେ ଗେଣ୍ଡାଳିଆ, ଡବେଣ୍ଟିଆ, ଅଞ୍ଜନା, ଖଇରା, ପାଣିକୁଆ, ମଝିଆ ବଗ, ଛୋଟ ବଗ, ରାଣୀ ବଗ, କପର ଖାଇ ଏବଂ ଅନ୍ଧାରିଆ ବଗ ଆଦି ପ୍ରମୁଖ ସାମିଲ ଅଛନ୍ତି। ବନଖଣ୍ଡ ଅଧିକାରୀଙ୍କ କହିବା ଅନୁଯାୟୀ, ବର୍ଷା ଋତୁରେ ଭିତରକନିକାରେ ପର୍ଯ୍ୟାପ୍ତ ଖାଦ୍ୟ ମିଳୁଥିବାରୁ ଏହି ସମୟରେ ପକ୍ଷୀମାନେ ବଂଶ ବିସ୍ତାର ପାଇଁ ବସା ବାନ୍ଧନ୍ତି। ବ୍ରାହ୍ମଣୀ ନଦୀର ଲକ୍ଷ୍ମୀପ୍ରସାଦ ଦିଆ, ଦୁର୍ଗାପ୍ରସାଦ ଦିଆ ଓ ବାଲିଦିଆ ସେମାନଙ୍କ ପ୍ରମୁଖ ପ୍ରଜନନ କେନ୍ଦ୍ର ପାଲଟିଛି।

LEAVE A REPLY

Please enter your comment!
Please enter your name here