ଭୁବନେଶ୍ୱର: ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ପୂର୍ବତନ ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ବିରୋଧରେ ହେଲିକେପ୍ଟର ଉଡ଼ାଣରେ ଅନିୟମିତତା ନେଇ ହୋଇଥିବା ମାମଲାକୁ ଖାରଜ କଲେ ଖୋର୍ଦ୍ଧା କୋର୍ଟ । ଅଭିଯୋଗରେ ଯଥେଷ୍ଟ ଆଧାର ନାହିଁ କହିଲେ ଖୋର୍ଦ୍ଧା କୋର୍ଟ। SDJMଙ୍କ ପୂର୍ବ ନିଷ୍ପତ୍ତିକୁ କାଏମ ରଖିଲେ ଜିଲ୍ଲା ଓ ଦୌରାଜଜ୍ l ସୂଚନା ଅନୁଯାୟୀ ଶ୍ରୀଧର ଚନ୍ଦ୍ର ମହାନ୍ତିଙ୍କ ପକ୍ଷରୁ ରିଭିଜନ୍ ପିଟିସନ୍ ଦାଖଲ କରାଯାଇଥିଲା। ଏହାର ଶୁଣାଣି କରି କୋର୍ଟ ଆବେଦନକୁ ଖାରଜ କରିଛନ୍ତି। କୋର୍ଟଙ୍କ କହିବା ଅନୁସାରେ, ଅଭିଯୋଗକାରୀ ଯେଉଁସବୁ ଆଇନର ଧାରା ଆଧାରରେ ନବୀନ ପଟ୍ଟନାୟକ ଓ ଭିକେ ପାଣ୍ଡିଆନଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ, ସେଗୁଡ଼ିକୁ ପ୍ରମାଣିତ କରିବା ଭଳି ଆବଶ୍ୟକ ତଥ୍ୟ କିମ୍ବା ପ୍ରମାଣ ଦାଖଲ କରିପାରିନଥିଲେ। ଏହାଛଡ଼ା ମାମଲା ଦାଖଲ କରିବା ପୂର୍ବରୁ ଭାରତୀୟ ନାଗରିକ ସୁରକ୍ଷା ସଂହିତା (BNSS), ୨୦୨୩ର ଧାରା ୧୭୩(୪) ଅନୁସାରେ ଯେଉଁ ଆଇନଗତ ପ୍ରକ୍ରିୟା ପାଳନ କରିବା କଥା, ତାହା ମଧ୍ୟ କରାଯାଇନଥିଲା।ଏହି ମାମଲା ପ୍ରଥମେ ଭୁବନେଶ୍ୱର SDJM କୋର୍ଟରେ ICC No. 6960 of 2024 ଭାବେ ଦାଖଲ ହୋଇଥିଲା। ୨୦୨୬ ମାର୍ଚ୍ଚ ୨୫ରେ SDJM କୋର୍ଟ ଅଭିଯୋଗକୁ ଖାରଜ କରିଦେଇଥିଲେ। SDJMଙ୍କ ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଶ୍ରୀଧର ଚନ୍ଦ୍ର ମହାନ୍ତି ଖୋର୍ଦ୍ଧା ଜିଲ୍ଲା ଓ ଦୌରାଜଜ୍ କୋର୍ଟରେ ରିଭିଜନ୍ ପିଟିସନ୍ ଦାଖଲ କରିଥିଲେ। କିନ୍ତୁ ଜିଲ୍ଲା ଓ ଦୌରାଜଜ୍ SDJMଙ୍କ ଆଦେଶରେ କୌଣସି ଆଇନଗତ ତ୍ରୁଟି ଥିବା ଦେଖିବାକୁ ପାଇନାହାନ୍ତି। ଫଳରେ SDJMଙ୍କ ମାର୍ଚ୍ଚ ୨୫ର ଆଦେଶକୁ କାଏମ ରଖି ରିଭିଜନ୍ ପିଟିସନ୍ କୁ ଖାରଜ କରାଯାଇଛି।

LEAVE A REPLY

Please enter your comment!
Please enter your name here