ଭୁବନେଶ୍ୱର: ଓଡ଼ିଶା ବନ ଉନ୍ନୟନ ନିଗମ (ଓଏଫଡିସି) ଅଧ୍ୟକ୍ଷ ତଥା ୧୯୯୫ ବ୍ୟାଚ୍ ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କୁ ନିଜ କ୍ଷମତାର ଅପବ୍ୟବହାର କରିବା ପୁଣିଥରେ ମହଙ୍ଗା ପଡ଼ିଛି। ମାତ୍ର ୯ମାସ ବ୍ୟବଧାନରେ ତାଙ୍କୁ ପୁଣିଥରେ ସାଧାରଣ ପ୍ରଶାସନ ବିଭାଗର ଓଏସଡି ଭାବେ ବଦଳି କରାଯାଇଛି। ଓଏଫଡିସି ଅଧ୍ୟକ୍ଷ ଶ୍ରୀ ସେଠୀ ଓ ପରିଚାଳନା ନିର୍ଦ୍ଦେଶକ ଆଇଏଫଏସ୍ ପ୍ରେମ କୁମାର ଝାଙ୍କ ମଧ୍ୟରେ ଚାଲିଥିବା ପ୍ରଶାସନିକ ବିବାଦ ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ଆକ୍ସନ ନେଇଥିବା ଜଣାପଡ଼ିଛି। କେନ୍ଦ୍ରୀୟ ଡେପୁଟେସନରୁ ଫେରି ପ୍ରାୟ ଏକମାସ ଧରି ନିଯୁକ୍ତି ଅପେକ୍ଷାରେ ଥିବା ୨୦୦୪ ବ୍ୟାଚ ଆଇଏଏସ୍ ରୂପା ମିଶ୍ରଙ୍କୁ ପଂଚାୟତିରାଜ ବିଭାଗର କମିଶନର ତଥା ସଚିବ ଭାବେ ନିଯୁକ୍ତି କରିଛନ୍ତି ରାଜ୍ୟ ସରକାର | ଆଗକୁ ପଂଚାୟତ ନିର୍ବାଚନ ଥିବାବେଳେ ଶ୍ରୀମତୀ ରୂପ ମିଶ୍ରଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆଜି ଜାରି ବିଜ୍ଞପ୍ତି ଅନୁସାରେ ଓଏଫଡିସି ଅଧ୍ୟକ୍ଷ ତଥା କେବିକେ ମୁଖ୍ୟ ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ୱରେ ଥିବା ୧୯୯୫ ବ୍ୟାଚର ବରିଷ୍ଠ ଆଇଏଏସ ବିଷ୍ଣୁପଦ ସେଠୀଙ୍କୁ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଓଏସଡି(ଅଫିସର ଅନ ସ୍ପେଶାଲ ଡ୍ୟୁଟି) ଭାବେ ବଦଳି କରାଯାଇଛି। ସେହିପରି ପଂଚାୟତିରାଜ ଓ ପାନୀୟ ଜଳ ବିଭାଗର କମିଶନର ତଥା ସଚିବ ୨୦୦୨ ବ୍ୟାଚର ଆଇଏଏସ ଗିରିଶ ଏସଏନଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ଭାବେ ବଦଳି କରାଯାଇଛି। ସେଠାରେ ଥିବା ୨୦୦୩ ବ୍ୟାଚର ଆଇଏଏସ ଅଶ୍ୱତୀ ଏସଙ୍କୁ ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ବଦଳି କରାଯାଇଛି । ତେବେ ଶ୍ରୀମତୀ ଅଶ୍ୱତୀ ପୂର୍ବଭଳି ଷ୍ଟେଟ ଇନଷ୍ଟିଚ୍ୟୁଟ୍ ଫର ଟ୍ରାନ୍ସଫରମେଟିଭ ଇନିସିଏଟିଭସ୍ (ସିଟି-ଓଡ଼ିଶା)ର ସିଇଓ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ।












