ଭୁବନେଶ୍ୱର:ମାଷ୍ଟରକ୍ୟାଣ୍ଟିନରେ ଅନଲାଇନ୍ ଟ୍ୟାକ୍ସି ଚାଳକଙ୍କ ହିଂସାତ୍ମକ ଆନ୍ଦୋଳନ ଘଟଣାରେ କମିଶନରେଟ୍ ପୋଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ମାଷ୍ଟରକ୍ୟାଣ୍ଟିନସ୍ଥିତ ବେଆଇନ ଅନଲାଇନ୍ ଅଟୋ ଷ୍ଟାଣ୍ଡ କୁ ପୋଲିସ ଭାଙ୍ଗି ଦେଇଛି। ବୁଲଡୋଜର ଜରିଆରେ ସମ୍ପୂର୍ଣ୍ଣ ଅଟୋଷ୍ଟାଣ଼୍ଡକୁ ମାଟିରେ ମିଶାଯାଇଛି। ଉକ୍ତ ସ୍ଥାନକୁ ଅକ୍ତିଆର କରି ଅଟୋ ଚାଳକମାନେ ଦୀର୍ଘଦିନ ଧରି ଷ୍ଟାଣ୍ଡ ବନାଇଥିଲେ।ଏହି ଘଟଣାରେ ଆଜି ଗିରଫ ସଂଖ୍ୟା ୧୧୩କୁ ବୃଦ୍ଧି ପାଇଛି। ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ପରେ ସମସ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।ସେପଟେ ଆନ୍ଦୋଳନବେଳେ ହିଂସା ଆଚରଣ କରି ସର୍ବସାଧାରଣ ସମ୍ପତ୍ତି ନଷ୍ଟ କରିଥିବା ବିକ୍ଷୋଭକାରୀ ନିଜେ କ୍ଷତି ଭରଣା କରିବେ ବୋଲି ଚେତାବନୀ ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ସେ କହିଛନ୍ତି ଅଟୋ ଡ୍ରାଇଭରମାନେ ଯେଉଁ କାଣ୍ଡ ଘଟାଇଲେ ତାହା ଅତ୍ୟନ୍ତ ଅମାନବୀୟ ଘଟଣା । ଆନ୍ଦୋଳନ ସମୟରେ ସେମାନେ ଆଇନକୁ ହାତକୁ ନେବା ସହିତ ସାଧାରଣ ଲୋକଙ୍କ ଉପରେ ଆକ୍ରମଣ କରିଛନ୍ତି,ସରକାରୀ ଗାଡି ଭାଙ୍ଗିଛନ୍ତି ଏପରିକି ପୋଲିସ ଉପରେ ମଧ୍ୟ ଆକ୍ରମଣ କରିଛନ୍ତି । ତେଣୁ ସମସ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ସେମାନଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରାଯିବ ଏବଂ ଯେଉଁ କ୍ଷତି ହୋଇଛି ତାହାକୁ ଅଟୋ ମାଲିକମାନେ ଭରଣା କରିବେ ବୋଲି କହିଛନ୍ତି ମନ୍ତ୍ରୀ l











