ନୂଆଦିଲ୍ଲୀ:ସିବିଏସ୍ଇର ଅନ ସ୍କ୍ରିନ ମାର୍କିଂ ସିଷ୍ଟମକୁ ନେଇ ଦେଶରେ ଚାଲିଥିବା ବିବାଦ ଘଟଣାରେ ମୁହଁ ଖୋଲିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ ସିବିଏସ୍ଇ ଉତ୍ତର ଖାତା ସୃଷ୍ଟି ହୋଇଥିବା ବିବାଦର ଉତ୍ତର ଦାୟିତ୍ୱ ନିଜ ମୁଣ୍ଡକୁ ନେଇଛନ୍ତି। ଏଥିସହ ଶିକ୍ଷାର୍ଥୀ ଓ ଅଭିଭାବକଙ୍କୁ ପ୍ରତିଶ୍ରୁତି ଦେଇ କହିଛନ୍ତି ଯେ ମୂଲ୍ୟାଙ୍କନ ପ୍ରକ୍ରିୟାରେ ଯଦି ଅନିୟମିତତା ହୋଇଥିବା ଜଣାପଡ଼ିବ, ତା’ହେଲେ କାହାକୁ ବି ଛଡ଼ା ଯିବ ନାହିଁ। ଶ୍ରୀ ପ୍ରଧାନ କହିଛନ୍ତି, “ମୁଁ ସବୁ ବିବାଦର ଉତ୍ତର ଦାୟିତ୍ୱ ଗ୍ରହଣ କରୁଛି। ଏହାକୁ ଠିକ କରାଯିବ। ଗୋଟିଏ ସମାଧାନର ରାସ୍ତା ବାହାରିବ। ଆମେ ସମସ୍ତେ ଏହି କାମରେ ଲାଗି ପଡ଼ିଛୁ।” ଅସ୍ପଷ୍ଟ ସ୍କାନ କପି, ମୂଲ୍ୟାଙ୍କନ ହୋଇ ନଥିବା ଉତ୍ତର, ପୋର୍ଟାଲ କ୍ରାଶ, ଦେୟ ସମୟରେ ବିଭ୍ରାଟ ଓ ପୁନଃ ମୂଲ୍ୟାଙ୍କନ ପ୍ରକ୍ରିୟାରେ ଦେଖାଯାଉଥିବା ଦ୍ୱନ୍ଦ୍ୱ ସମ୍ପର୍କରେ ସିବିଏସ୍ଇ ଶିକ୍ଷାର୍ଥୀମାନେ ଅଭିଯୋଗ କରିଥିଲେ। ଏହାକୁ ନେଇ ବିବାଦ ଦେଖା ଯାଇଥିବା ବେଳେ ମନ୍ତ୍ରୀଙ୍କ ବୟାନ ସାମ୍ନାକୁ ଆସିଛି। ସିବିଏସ୍ଇ ରେଜଲ୍ଟ ପରେ ସୃଷ୍ଟି ବିବାଦକୁ ନେଇ ରାଜନୀତିକ ବୟାନବାଜୀ ମଧ୍ୟ ଦେଖିବାକୁ ମିଳିଛି। ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଏହି ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିଥିଲେ।ଏହା ଉପରେ ପ୍ରତିକ୍ରିୟା ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ “ସିବିଏସ୍ଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରି ସାରିଛି। ଯଦି ଅନିୟମିତତା ଜଣାପଡ଼ିଛି, ତା’ହେଲେ କାହାକୁ ବି ଛଡ଼ା ଯିବ ନାହିଁ। ମୁଁ ସମସ୍ତଙ୍କୁ ଏକଥା ନିଶ୍ଚିତ କରିବାକୁ ଚାହୁଁଛି। ରାଜନୀତି ପଛରେ ହେବ। ଏବେ ଶିକ୍ଷାର୍ଥୀଙ୍କ ମାନସିକ ଚିନ୍ତା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ।













