ନୂଆଦିଲ୍ଲୀ: ‘ବିକଶିତ ଭାରତ’ ନାମରେ ଆୟୋଜିତ ସମ୍ମିଳନୀକୁ ସମ୍ବୋଧିତ କରି ନୀତିନ ଗଡ଼କରୀ କହିଛନ୍ତି ଯେ, ଅଧିକ ଏଥାନଲ ମିଶ୍ରିତ ପେଟ୍ରୋଲ ବ୍ୟବହାରକୁ ନେଇ କିଛି ଲୋକ ଟଙ୍କା ଖର୍ଚ୍ଚ କରି ସୋସିଆଲ ମିଡିଆ ଓ ଅନ୍ୟାନ୍ୟ ମାଧ୍ୟମରେ ମିଥ୍ୟା ଅପପ୍ରଚାର ଚଳାଉଛନ୍ତି। ଏପର୍ଯ୍ୟନ୍ତ ଇ-୨୦ ପେଟ୍ରୋଲ ପାଇଁ କୌଣସି କାର୍‌ ଖରାପ ହେବାର ମାମଲା ସାମ୍ନାକୁ ଆସିନାହିଁ। ଭାରତ ଇତିମଧ୍ୟରେ ୨୦ ପ୍ରତିଶତ ଏଥାନଲ ମିଶ୍ରଣର ପେଟ୍ରୋଲ୍‌ ଲକ୍ଷ୍ୟ ହାସଲ କରିସାରିଛି, ଯାହା ଦ୍ୱାରା ଅଶୋଧିତ ତୈଳ ଆମଦାନୀ ଉପରେ ନିର୍ଭରଶୀଳତା କମିବା ସହ କାର୍ବନ ନିର୍ଗମନ ହ୍ରାସ ପାଇଛି। କୋଇଲା ଏବଂ ପେଟ୍ରୋଲ ଭଳି ଜୀବାଶ୍ମ ଇନ୍ଧନ ଭାରତ ପାଇଁ ଏକ ବଡ଼ ଅର୍ଥନୈତିକ ବୋଝ। ଇନ୍ଧନ ଆମଦାନୀ ପାଇଁ ଦେଶକୁ ବାର୍ଷିକ ୨୨ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି ଏବଂ ଏହା ପରିବେଶ ପାଇଁ ମଧ୍ୟ ବିପଦଜନକ। ତେଣୁ ସ୍ବଚ୍ଛ ଇନ୍ଧନ ଆପଣାଇବା ଦେଶର ପ୍ରଗତି ପାଇଁ ନିହାତି ଜରୁରୀ। ମନ୍ତ୍ରୀଙ୍କ ପରିବାରର କମ୍ପାନୀଗୁଡ଼ିକ ଏଥାନଲ ଉତ୍ପାଦନ କରୁଥିବାରୁ ସେ ଏହା ଉପରେ ଅଧିକ ଜୋର୍‌ ଦେଉଛନ୍ତି ବୋଲି ଆସିଥିବା ଅଭିଯୋଗକୁ ଗଡ଼କରୀ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ, ତାଙ୍କ ପରିବାରର ଏଥାନଲ୍‌ ଉତ୍ପାଦନ ଉପରେ ନିର୍ଭରଶୀଳ ନୁହେଁ।ଏଭଳି ସମାଲୋଚନା କରୁଥିବା ଲୋକଙ୍କୁ ଚ୍ୟାଲେଞ୍ଜ କରି ସେ କହିଛନ୍ତି ଯେ, ଏହି ଇନ୍ଧନ କାରଣରୁ ଦେଶରେ ଗୋଟିଏ ହେଲେ କାର୍‌ରେ ସମସ୍ୟା ଦେଖାଦେଇଥିବାର ଯଦି ପ୍ରମାଣ ଅଛି ଦିଅନ୍ତୁ।

LEAVE A REPLY

Please enter your comment!
Please enter your name here