କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ଅଞ୍ଚଳର ଯୁବକ ବିନୋଦ କୁମାର ଦାସଙ୍କୁ ଅବକାରୀ ବିଭାଗ ପକ୍ଷରୁ ଥାର୍ଡ ଡିଗ୍ରୀ ଦିଆଯାଇଥିବା ଘଟଣାରେ ଅବକାରୀ SI ଛାୟାକାନ୍ତ ନାୟକ ଓ ASI ପ୍ରଦୀପ ମଲ୍ଲିକ ଙ୍କୁ ସସ୍ପେଣ୍ଡ କଲେ ଅବକାରୀ କମିଶନର। ପୂର୍ବରୁ ଛାୟାକାନ୍ତଙ୍କୁ ଜିଲ୍ଲା ଅବକାରୀ ମୁଖ୍ୟାଳୟକୁ ବଦଳି କରାଯାଇଥିଲା। ସେହିପରି ଘଟଣାରେ ଜଡ଼ିତ ASI ପ୍ରଦୀପ କୁମାରଙ୍କୁ ଆଳି ଏକ୍ସସାଇଜ ଷ୍ଟେସନକୁ ବଦଳି କରାଯାଇଥିଲା।ସୂଚନା ଅନୁସାରେ, ଗତ ମେ’ ୨୮ ତାରିଖରେ ପଟ୍ଟାମୁଣ୍ଡାଇ ଏକ୍ସସାଇଜ ଷ୍ଟେସନର OIC ଛାୟାକାନ୍ତ ନାୟକ ବେଆଇନ ମଦ କାରବାର ଉପରେ ଚଢ଼ାଉ କରୁଥିବା ବେଳେ ରାଜନଗର ଅଞ୍ଚଳର ଯୁବକ ବିନୋଦ କୁମାର ଦାସ ଘଟଣାର ଭିଡିଓ ରେକର୍ଡ କରିଥିଲେ। ଏହା ଜାଣିବା ପରେ ସମ୍ପୃକ୍ତ ଯୁବକଙ୍କୁ ଅବକାରୀ କର୍ମଚାରୀମାନେ ଉଠାଇ ଆଣିଥିବା ଅଭିଯୋଗ ହୋଇଥିଲା। ବିନୋଦଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କୁ ଥାନାକୁ ନେବା ବାଟରେ ଗାଡ଼ି ଭିତରେ ପ୍ରବଳ ଭାବେ ମାଡ଼ ମରାଯାଇଥିଲା l













