ଭୁବନେଶ୍ୱର: ଇଟାଲୀର ଟୁରିନ୍‌ସ୍ଥିତ ୟୁଏନ୍‌ଏସ୍‌ଏସସି ପକ୍ଷରୁ ଆୟୋଜିତ ଏକ ଅନ୍ତର୍ଜାତୀୟ ଫୋରମ୍‌ରେ ଯୋଗଦେଇ ଓଡ଼ିଶାର ପ୍ରଶାସନିକ ଅଭିଜ୍ଞତାକୁ ଅନ୍ତର୍ଜାତୀୟ ମଞ୍ଚରେ ଉପସ୍ଥାପନ କରିଛନ୍ତି ପୂର୍ବତନ ‘୫-ଟି’ ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ। ସେ ଓଡ଼ିଶାରେ ପୂର୍ବରୁ ପ୍ରଚଳିତ ‘୫-ଟି’ ମଡେଲ, ପ୍ରଯୁକ୍ତିଭିତ୍ତିକ ପ୍ରଶାସନ, ପାରଦର୍ଶିତା ଓ ନାଗରିକକୈନ୍ଦ୍ରିକ ସେବା ସମ୍ପର୍କରେ ନିଜର ଅଭିଜ୍ଞତା ବଖାଣିଛନ୍ତି। ଏହି ଫୋରମ୍‌ରେ ବିଭିନ୍ନ ଦେଶର ପ୍ରଶାସନିକ ଅଧିକାରୀ, ନୀତି ନିର୍ମାତା ଓ ବିକାଶ ବିଶେଷଜ୍ଞ ଯୋଗ ଦେଇଥିଲେ। ଏଠାରେ ଶ୍ରୀ ପାଣ୍ଡିଆନ ଓଡ଼ିଶାରେ ତତ୍‌କାଳୀନ ସରକାରଙ୍କ ୫-ଟି ବ୍ୟବସ୍ଥାର ପାଞ୍ଚଟି ମୂଳ ଆଧାର ଟିମ୍‌ୱାର୍କ, ଟେକ୍ନୋଲୋଜି, ଟ୍ରାନ୍ସପାରେନ୍ସି, ଟ୍ରାନ୍ସଫର୍ମେସନ୍‌ ଓ ଟାଇମ୍‌ ମ୍ୟାନେଜମେଣ୍ଟ ଉପରେ ଆଲୋକପାତ କରିଥିଲେ। ଏହି ପାଞ୍ଚଟି ଉପାଦାନର ସମନ୍ୱୟରେ ପ୍ରଶାସନିକ ଦକ୍ଷତା ବୃଦ୍ଧି ସହ ଜନସାଧାରଣଙ୍କୁ ସମୟବଦ୍ଧ ଓ ସ୍ୱଚ୍ଛ ସେବା ଯୋଗାଇବା ସମ୍ଭବ ହୋଇଥିବା ସେ ମତ ରଖିଥିଲେ। ସରକାରୀ ଯୋଜନାର ସଫଳତା କେବଳ ଘୋଷଣା କିମ୍ବା କାଗଜପତ୍ରରେ ସୀମିତ ରହିଲେ ଚଳିବ ନାହିଁ। ଏହାର ସୁଫଳ ଲୋକଙ୍କ ପାଖରେ ପହଞ୍ଚିବା ଆବଶ୍ୟକ। ପୁନଶ୍ଚ ପ୍ରଶାସନ ଉତ୍ତରଦାୟୀ ହୋଇପାରିଲେ ନାଗରିକଙ୍କ ଅଭିଯୋଗ ଓ ଆବେଦନର ଶୁଣାଣି ଏବଂ ସମାଧାନ ପ୍ରକ୍ରିୟାରେ ମଧ୍ୟ ସ୍ୱଚ୍ଛତା ଆସିଥାଏ ବୋଲି ସେ କହିଥିଲେ। ଏହି ଅବସରରେ ସେ ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା ଅଭିଜ୍ଞତା ସମ୍ପର୍କରେ ବର୍ଣ୍ଣନା କରିଥିଲେ। ବାତ୍ୟା ଓ ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲାରେ ପୂର୍ବ ସତର୍କ ସୂଚନା, ପ୍ରଯୁକ୍ତିଭିତ୍ତିକ ନିରୀକ୍ଷଣ, ପ୍ରଶିକ୍ଷିତ ପ୍ରଶାସନିକ ବ୍ୟବସ୍ଥା ଓ ଜନସହଯୋଗର ଭୂମିକା ସମ୍ପର୍କରେ ସେ ଅଭିଜ୍ଞତା ବାଣ୍ଟିଥିଲେ। ଓଡ଼ିଶାର ଏହି ପ୍ରଶାସନିକ ଅଭିଜ୍ଞତାକୁ ବିଭିନ୍ନ ଦେଶରେ କିଭଳି ଉପଯୋଗ କରାଯାଇପାରିବ, ସେ ନେଇ ମଧ୍ୟ ଫୋରମ୍‌ରେ ମତ ବିନିମୟ ହୋଇଥିଲା। ପ୍ରତ୍ୟେକ ଅଞ୍ଚଳର ସାମାଜିକ, ଆର୍ଥିକ ଓ ପ୍ରଶାସନିକ ପରିସ୍ଥିତି ଭିନ୍ନ ହୋଇଥିବାରୁ କୌଣସି ମଡେଲକୁ ଅବିକଳ ଅନୁସରଣ କରିବା ପରିବର୍ତ୍ତେ ଏହାର ମୂଳ ନୀତିକୁ ସ୍ଥାନୀୟ ଆବଶ୍ୟକତା ଅନୁସାରେ ଗ୍ରହଣ କରିବା ଉଚିତ ବୋଲି ଶ୍ରୀ ପାଣ୍ଡିଆନ ପରାମର୍ଶ ଦେଇଥିଲେ।

LEAVE A REPLY

Please enter your comment!
Please enter your name here