ସମ୍ବଲପୁର: ପ୍ରଥମ ପର୍ଯ୍ୟାୟରେ ଆଜି ସକାଳେ ୪ଟି ଗେଟ୍‌ ଖୋଲା ଯାଇଥିଲା। ନିର୍ଦ୍ଦେଶ ଆସିବା ପରେ ଆଉ ୬ଟି ଗେଟ୍‌ ଖୋଲିବା ପ୍ରକ୍ରିୟା ଜାରି ରହିଛି। ବର୍ତ୍ତମାନ ୧୦ଟି ଗେଟ୍‌ ଦେଇ ହେଉଛି ବନ୍ୟା ଜଳ ନିଷ୍କାସନ। ଅନ୍ୟପଟେ ହୀରାକୁଦ ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ ହେଉଥିବାରୁ କଟକ ଜିଲ୍ଲାରେ କୁତ୍ରିମ ବନ୍ୟା ଏବଂ ନଦୀ ଜଳସ୍ତର ବୃଦ୍ଧି ପାଇବାର ଆଶଙ୍କା ରହିଛି। ସାଧାରଣ ଲୋକଙ୍କ ଜୀବନ ଓ ସମ୍ପତ୍ତିର ସୁରକ୍ଷା ସହିତ କୌଣସି ଅଘଟଣକୁ ଏଡ଼ାଇବା ଉଦ୍ଦେଶ୍ୟରେ ଜିଲ୍ଲାପାଳ ତଥା ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଡିଡିଏମଏ)ର ଅଧ୍ୟକ୍ଷ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେ, ବିପର୍ଯ୍ୟୟ ପରିଚାଳନା ଆଇନ–୨୦୦୫ର ଧାରା–୩୪ ଅନୁଯାୟୀ ବିଭିନ୍ନ କଟକଣା ଜାରି କରିଛନ୍ତି। ଆଦେଶ ଅନୁଯାୟୀ ମହାନଦୀ ଏବଂ ଏହାର ସମସ୍ତ ଶାଖା ନଦୀରେ ଗାଧୋଇବା, ପହଁରିବା ଓ ଅନ୍ୟ କୌଣସି ମନୋରଞ୍ଜନମୂଳକ କିମ୍ବା ବ୍ୟବସାୟିକ କାର୍ଯ୍ୟକଳାପ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି। କଟକ ମହାନଗର ନିଗମ (କେଏମସି) କମିଶନର ଏବଂ ସମସ୍ତ ବ୍ଲକ ଉନ୍ନୟନ ଅଧିକାରୀଙ୍କୁ ନଦୀ ଘାଟଗୁଡ଼ିକରେ ମାଇକ୍ ଯୋଗେ ସାଧାରଣ ଲୋକଙ୍କୁ ସଚେତନ କରିବା ସହ ନିରନ୍ତର ତଦାରଖ ପାଇଁ ନୋଡାଲ ଅଧିକାରୀ ନିୟୋଜିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲାର ସମସ୍ତ ବାଲିଘାଟ ମାନଙ୍କର କାର୍ଯ୍ୟକଳାପ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବନ୍ଦ ରହିବ। ମହାନଦୀ ଏବଂ ଏହାର ଉପନଦୀ ଉପରେ ଥିବା ସମସ୍ତ ସେତୁ, ବ୍ୟାରେଜ (ମୁଣ୍ଡଳି ଓ ଯୋବ୍ରା ସମେତ) ଏବଂ ନଦୀବନ୍ଧ ଉପରେ ବନ୍ୟାଜଳ ଦେଖିବା, ସେଲ୍‌ଫି ନେବା, ଫଟୋ ଉଠାଇବା କିମ୍ବା ଭିଡିଓ ରେକର୍ଡିଂ କରିବା ଉଦ୍ଦେଶ୍ୟରେ ଭିଡ଼ ଜମାଇବା, ବୁଲାବୁଲି କରିବା କିମ୍ବା ବିପଦପୂର୍ଣ୍ଣ ଭାବେ ନଦୀକୂଳ ନିକଟକୁ ଯିବାକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି।

LEAVE A REPLY

Please enter your comment!
Please enter your name here