ଭୁବନେଶ୍ୱର: ଦକ୍ଷିଣ ପଶ୍ଚିମବଙ୍ଗ ଓ ସଂଲଗ୍ନ ଉତ୍ତର ଓଡ଼ିଶାର ବାୟୁମଣ୍ଡଳ ଉପରି ଭାଗରେ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଉତ୍ତର ଓଡ଼ିଶାରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଫଳରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଅଗଷ୍ଟ ୧୪ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଏହାର ପ୍ରଭାବରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କାକୁ ଦୃଷ୍ଟିରେ ରଖି ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା ଏବଂ ସୁନ୍ଦରଗଡ଼—ଏହି ୪ଟି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଏହା ବ୍ୟତୀତ ମାଲକାନଗିରି, ଗଞ୍ଜାମ, ଗଜପତି, ନୟାଗଡ଼, କଟକ, ଜଗତସିଂହପୁର, ଯାଜପୁର, ଭଦ୍ରକ, ବାଲେଶ୍ୱର, ଢେଙ୍କାନାଳ, ଅନୁଗୁଳ, କେନ୍ଦୁଝର, ଦେଓଗଡ଼, ବୌଦ୍ଧ, ସୋନପୁର, ବଲାଙ୍ଗୀର ଏବଂ ନୂଆପଡ଼ା ସମେତ ମୋଟ ୧୯ଟି ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ଯାହାଫଳରେ ଆଗକୁ କିଛି ସ୍ଥାନରେ ବନ୍ୟା ସ୍ଥିତି ଆହୁରି ସଙ୍ଗୀନ ହେବାର ଆଶଙ୍କା ଅଛି।










