ବରଗଡ଼: ବରଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଥିବା ନିରାମୟ ଔଷଧ କେନ୍ଦ୍ର ବିରୋଧରେ ଏକ ସାଂଘାତିକ ଅଭିଯୋଗ ଆସିଛି। ଜଣେ ୧୫ ବର୍ଷର ନାବାଳକଙ୍କୁ ଏକ୍ସପାଏରୀ ଆଣ୍ଟିବାୟୋଟିକ୍ ଦିଆଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ନୀଳିବନ୍ଧ ପଡ଼ାର ଚୋବନ ସାହୁଙ୍କ ପୁଅ ମୁକେଶ ସାହୁ (୧୫) ଙ୍କ ଆଙ୍ଗୁଠି କଟିଯାଇଥିବାରୁ ସେ ଡାକ୍ତରଖାନା ଯାଇଥିଲେ। ସ୍ୱାସ୍ଥ୍ୟ ପରୀକ୍ଷା ପରେ ଡାକ୍ତର ତାଙ୍କୁ ଆଣ୍ଟି ବାୟୋଟିକ୍ ଲେଖିଥିଲେ ଏବଂ ଏହାକୁ ନିରାମୟ ଔଷଧ କେନ୍ଦ୍ରରୁ ଆଣିବାକୁ ପରାମର୍ଶ ଦେଇଥିଲେ। ପରିବାର ଲୋକଙ୍କ କହିବା ଅନୁଯାୟୀ, ଉକ୍ତ ଔଷଧର ବ୍ୟବହାର ଅବଧି ୨୦୨୬ ମସିହା ମେ’ ମାସରୁ ଶେଷ ହୋଇଯାଇଥିଲା। ତେବେ ଔଷଧ ଖାଇବାର କିଛି ସମୟ ପରେ ମୁକେଶଙ୍କୁ ମୁଣ୍ଡ ବୁଲାଇବା ସହ ବାନ୍ତି ଆରମ୍ଭ ହୋଇଥିଲା। ଏହା ଦେଖି ପରିବାର ଲୋକେ ଔଷଧର ଷ୍ଟ୍ରିପ୍ ଯାଞ୍ଚ କରିବାରୁ ଏହାର ମିଆଦ ପୂରିଯାଇଥିବା ଜାଣିବାକୁ ପାଇଥିଲେ। ଏନେଇ ସେ ସିଡିଏମଓଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ। କିନ୍ତୁ ସିଡିଏମ୍‌ଓଙ୍କ ପକ୍ଷରୁ ତାଙ୍କୁ କୌଣସି ଉତ୍ତର ମିଳି ନଥିଲା। ସିଡିଏମ୍‌ଓଙ୍କ ତରଫରୁ କୌଣସି ପ୍ରତିକ୍ରିୟା ନମିଳିଥିବା ବେଳେ ଏବେ ସେ ବରଗଡ଼ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି।

LEAVE A REPLY

Please enter your comment!
Please enter your name here