ନୂଆଦିଲ୍ଲୀ: ନିଟ୍ ପେପର ଲିକ୍ ପ୍ରସଙ୍ଗରେ ଏକ ବଡ଼ ବୟାନ ଦେଇଛନ୍ତି କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସାମ୍ବାଦିକ ସମ୍ମିଳନୀରେ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଆସନ୍ତା ବର୍ଷ ଠାରୁ ନିଟ୍ ପରୀକ୍ଷାରେ ହେବ ବଡ଼ ପରିବର୍ତ୍ତନ । ନିଟ୍ ପରୀକ୍ଷା ଓଏମ୍ଆର ସିଟ୍ ବଦଳରେ କମ୍ପ୍ୟୁଟର ଆଧାରିତ ହେବ। ଅର୍ଥାତ୍ ଓଏମଆର ସିଟ୍ ବଦଳରେ କମ୍ପ୍ୟୁଟର-ଭିତ୍ତିକ ଟେଷ୍ଟ (CBT) ମାଧ୍ୟମରେ ପରୀକ୍ଷା ହେବ ବୋଲି ଘୋଷଣା କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ । “ଓଏମଆର ଅପେକ୍ଷା CBT ଅଧିକ ସୁରକ୍ଷିତ ଓ ସ୍ୱଚ୍ଛ ପ୍ରଣାଳୀ।” ପେପର ଲିକ୍ ଭଳି ଘଟଣାକୁ ରୋକିବା ଓ ପରୀକ୍ଷାରେ ସ୍ୱଚ୍ଛତା ଆଣିବା ପାଇଁ ଏହି ବଡ଼ ପଦକ୍ଷେପ ନିଆଯାଇଥିବା ସେ କହିଛନ୍ତି। ଏ ବର୍ଷ ଏନ୍ଟିଏ ଜୁନ ୨୧ରେ ନିଟ୍ ୟୁଜି ପରୀକ୍ଷା ପୁନଃନିର୍ଦ୍ଧାରଣ କରିବାକୁ ନିଷ୍ପତ୍ତି ନେଇଛି। ପରୀକ୍ଷା ପ୍ରଥମେ ମେ’ ୩ ତାରିଖରେ ଅନୁଷ୍ଠିତ ହୋଇଥିଲା। ମେ’ ୭ରେ କିଛି ଆପତ୍ତି ଉଠିଥିଲା ଏବଂ ସରକାର ତଦନ୍ତ ଆରମ୍ଭ କରିଥିଲେ। ମେ ୧୨ ସୁଦ୍ଧା ଏହା ସ୍ପଷ୍ଟ ହୋଇଗଲା ଯେ ଏକ ଅନୁମାନ ପତ୍ର ଆଡରେ ପେପର ଲିକ୍ ହୋଇଥିଲା। ଆମେ ଚାହୁଁନାହୁଁ ଯେ ଯୋଗ୍ୟ ଛାତ୍ରଛାତ୍ରୀଙ୍କ ପ୍ରତି କୌଣସି ଅନ୍ୟାୟ ହେଉ। ତେଣୁ ନିଟ୍ ୟୁଜି ପରୀକ୍ଷା ଏବେ ଜୁନ୍ ୨୧ ତାରିଖରେ ପୁନଃନିର୍ଦ୍ଧାରିତ ହୋଇଛି । ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି ଆଜି ନୂତନ ପରୀକ୍ଷା ତାରିଖ ଘୋଷଣା କରିଛି।









