ପୁରୀ: ଦୀର୍ଘ ପଚାଶ ବର୍ଷର ବ୍ୟବଧାନ ପରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନାମରେ ଥିବା ବିପୁଳ ପରିମାଣର ଜମି ପୁଣିଥରେ ମହାପ୍ରଭୁଙ୍କ ନାମକୁ ଫେରି ଆସିଛି। ପୁରୀ ଜିଲ୍ଲା ସମଙ୍ଗରା ମୌଜା ଅଞ୍ଚଳରେ ଥିବା ପ୍ରାୟ ୮୮ ଏକର ଜମିକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବିଧିବଦ୍ଧ ଭାବେ ଦଖଲକୁ ନିଆଯାଇଛି। ଦୀର୍ଘ ଦିନ ଧରି ଏହି ଜମିକୁ ନେଇ ଲାଗିରହିଥିବା ଆଇନଗତ ଓ ପ୍ରଶାସନିକ ପ୍ରକ୍ରିୟା ପରେ ଏବେ ମହାପ୍ରଭୁଙ୍କ ସମ୍ପତ୍ତିର ସୁରକ୍ଷା ଦିଗରେ ଏକ ବଡ଼ ସଫଳତା ମିଳିଛି। ଏହି ପଦକ୍ଷେପ ଦ୍ୱାରା ଶ୍ରୀମନ୍ଦିରର ଅମୂଲ୍ୟ ଭୂସମ୍ପତ୍ତିକୁ ସୁରକ୍ଷିତ ରଖିବା ଦିଗରେ ପ୍ରଶାସନର ପ୍ରୟାସ ଅଧିକ ସୁଦୃଢ଼ ହୋଇଛି। ସୂଚନା ଅନୁଯାୟୀ, ପୁରୀ ସମଙ୍ଗରା ମୌଜାର ବାଇଦାସ ନଗରଠାରୁ ମାଳତୀପାଟପୁର ରେଳ ଓଭରବ୍ରିଜ୍‌କୁ ସଂଯୋଗ କରୁଥିବା ଜାତୀୟ ରାଜପଥର ଉଭୟ ପାର୍ଶ୍ୱରେ ମହାପ୍ରଭୁଙ୍କ ଏହି ଜମି ରହିଥିଲା। ରାଜସ୍ୱ ବୋର୍ଡରେ ଚାଲିଥିବା ଦୁଇଟି ମାମଲାର ରାୟ ଆଧାରରେ ପ୍ରାୟ ୪୧ଟି ପ୍ଲଟ୍ ପୁନର୍ବାର ମହାପ୍ରଭୁଙ୍କ ନାମରେ ପଞ୍ଜୀକୃତ ହୋଇଛି। ଏଥିସହ ଜମିର ସଠିକ୍ ସୀମା ନିର୍ଦ୍ଧାରଣ ଓ ପ୍ରଶାସନିକ ପ୍ରକ୍ରିୟା ଅନୁଯାୟୀ ଏହି ସମ୍ପତ୍ତିକୁ ଶ୍ରୀମନ୍ଦିର ପ୍ରଶାସନ ଅଧୀନକୁ ଅଣାଯାଇଛି। ସ୍ଥାନୀୟ ତହସିଲଦାରଙ୍କ ଉପସ୍ଥିତିରେ ଏହି ଜମିର ଦଖଲ ଓ ଅଧିଗ୍ରହଣ ପ୍ରକ୍ରିୟା ସମ୍ପନ୍ନ କରାଯାଇଛି। ଏହି ଅବସରରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମ୍ପୃକ୍ତ ଅଞ୍ଚଳରେ ନାଲି ପତାକା ପୋତି ଜମିକୁ ନିଜ ଦଖଲକୁ ନିଆଯାଇଛି, ଯାହାଦ୍ୱାରା ଏହି ଜମି ଉପରେ ମହାପ୍ରଭୁଙ୍କ ମାଲିକାନା ସତ୍ତ୍ୱ ସ୍ପଷ୍ଟ ଭାବେ ପ୍ରତିଷ୍ଠିତ ହୋଇଛି। ଆଗାମୀ ଦିନରେ ମହାପ୍ରଭୁଙ୍କ ଅନ୍ୟାନ୍ୟ ଜମିକୁ ମଧ୍ୟ ପର୍ଯ୍ୟାୟକ୍ରମେ ଚିହ୍ନଟ ଓ ପୁନରୁଦ୍ଧାର କରିବା ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଥିବା ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here