ନୂଆଦିଲ୍ଲୀ: ପେପର ଲିକ୍ କାରଣରୁ ମହାରାଷ୍ଟ୍ରରେ ୨୮ ଜୁନ ରବିବାର ଅନୁଷ୍ଠିତ ହେବାକୁ ଥିବା ଟିଚର ଏଲିଜିବିଲିଟି ଟେଷ୍ଟ (ଟିଇଟି) ୨୦୨୬ ପରୀକ୍ଷାକୁ ବାତିଲ କରିଦିଆଯାଇଛି। ଏହାକୁ ନେଇ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ମହାରାଷ୍ଟ୍ରରେ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି l ସେ କହିଛନ୍ତି ଯେ ଦେଶର ଶିକ୍ଷା ଓ ପରୀକ୍ଷା ବ୍ୟବସ୍ଥାକୁ ଅସୁଲିର ସିଷ୍ଟମ କରିଦିଆଯାଇଛି, ଏଣୁ ଦେଶର ଯୁବ ବର୍ଗ ଏବେ ଅସୁରକ୍ଷିତ। ଏ ନେଇ ରାହୁଲ ଗାନ୍ଧି ଏକ୍ସ ରେ ଏକ ପୋଷ୍ଟ ମଧ୍ୟ କରିଛନ୍ତି। ପୋଷ୍ଟରେ ରାହୁଲ ଲେଖିଛନ୍ତି ଯେ ‘ଆଉ ଏକ ପେପର ଲିକ୍, ଆଉ ଏକ ପରୀକ୍ଷା ରଦ୍ଦ, ଏଥର ମହାରାଷ୍ଟ୍ରର ଟିଇଟି। ଦେଶର ଶିକ୍ଷା ଓ ପରୀକ୍ଷା ବ୍ୟବସ୍ଥାକୁ ଅସୁଲିର ସିଷ୍ଟମ କରିଦିଆଯାଇଛି, ଏଣୁ ଦେଶର ଯୁବ ଅସୁରକ୍ଷିତ ହୋଇପଡିଛନ୍ତି’। ସେ କହିଛନ୍ତି ଯେ ଏହା କେବଳ ପେପର ଲିକ୍ ନୁହେଁ ଏହା ଯୁବପିଢୀଙ୍କ ଭବିଷ୍ୟ ଚୋରି। ସେହିପରି କଂଗ୍ରେସ ପାର୍ଟି ମଧ୍ୟ ଏକ୍ସ ରେ ଏକ ପୋଷ୍ଟ କରିଛି। ଏଥିରେ ବିଜେପି ସରକାରଙ୍କୁ ଟାର୍ଗେଟ କରାଯାଇଥିବା ବେଳେ ‘ପେପର ଲିକ୍ ସରକାର’ ବୋଲି ଉଲ୍ଲେଖ କରାଯାଇଛି । ପାର୍ଟି ଲେଖିଛି ଯେ ବିଜେପି ସରକାରରେ ଏପରି କୌଣସି ପେପର ନାହିଁ ଯାହା ଲିକ୍ ହୋଇନି । ଏ ସରକାର ପେପର ଲିକ୍ ସରକାର ପାଲଟି ଯାଇଛନ୍ତି। ସେହିପରି ଅନ୍ୟ ଏକ ଏକ୍ସ ପୋଷ୍ଟରେ କଂଗ୍ରେସ ପାର୍ଟି ପ୍ରଥମେ ନିଟ୍ ୟୁଜି ପରୀକ୍ଷା ପେପର ଲିକ୍ ଓ ଏବେ ମହାରାଷ୍ଟ୍ର ଟିଇଟି ପେପର ଲିକ୍ କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀଶଙ୍କ ସରକାରଙ୍କୁ କଟାକ୍ଷ କରିଛି। ଲେଖିଛି ଯେ ନରେନ୍ଦର ହୁଅନ୍ତୁ କି ଦେବେନ୍ଦର ସମସ୍ତଙ୍କପେପର ଲିକ୍ । ବାରମ୍ବାର ପେପର ଲିକ୍ ଘଟଣାର ପୁନରାବୃତ୍ତି ଘଟୁଥିବା ରୁ ବିରୋଧୀ ଦଳ ଏବେ ମହାରାଷ୍ଟ୍ରର ଦେବେନ୍ଦ୍ର ଫଡନବୀଶ ସରକାରଙ୍କ ସହିତ କେନ୍ଦ୍ର ସରକାରଙ୍କୁ କଡା ସମାଲୋଚନା କରୁଛନ୍ତି।










