ଭୁବନେଶ୍ୱର : ଆଜି ଓଡ଼ିଶାର ଗଣପର୍ବ ‘ରଜ’। ବଡ଼ ଧୂମଧାମରେ ଆରମ୍ଭ ହୋଇଯାଇଛି ରଜ ମଉଜ। ପ୍ରଥମ ଦିନ ଅର୍ଥାତ୍ ‘ପହିଲି ରଜ’ରେ ସାରା ଓଡ଼ିଶା ଉତ୍ସବମୁଖର। ରଜ ପର୍ବ ହେଉଛି ଧରଣୀ ମା’ଙ୍କ ଉର୍ବରତା ଏବଂ ନବଯୌବନର ପ୍ରତୀକ। ଏହି ତିନି ଦିନ ମାଟି ମା’ ରଜସ୍ୱଳା ହୋଇ ବିଶ୍ରାମ ନିଅନ୍ତି ବୋଲି ବିଶ୍ବାସ ରହିଛି। ତେଣୁ ଆଗାମୀ ଚାଷ ଅନୁକୂଳ ପାଇଁ ମାଟିକୁ ପ୍ରସ୍ତୁତ କରିବା ସହ ପ୍ରକୃତିକୁ ସମ୍ମାନ ଜଣାଇ ଏହି ଦିନମାନଙ୍କରେ ହଳ କରିବା, କୋଡ଼ି ହାଣିବା ବା ମାଟି ଖୋଳିବାକୁ ସମ୍ପୂର୍ଣ୍ଣ ବାରଣ ଥାଏ। ପହିଲି ରଜର ମୁଖ୍ୟ ଆକର୍ଷଣ ହେଉଛି ଝିଅମାନଙ୍କ ସଜବାଜ, ରଜ ଦୋଳି ଓ ଗୀତ, ପିଠାପଣାର ମହକ, ରଜ ପାନର ଚମକ।ରଜରେ କୁମାରୀମାନେ ନୂଆ ପୋଷାକ ପିନ୍ଧି ପାଦରେ ଅଳତା ଲଗାଇ ପିଠାପଣା ସହ ରଜପାନର ମଜା ନେଇଥାନ୍ତି । ଗାଁରୁ ସହର ପ୍ରାୟ ସବୁଠି ପାରମ୍ପରିକ ରଜ ଦୋଳି ବନ୍ଧାଯାଇଥାଏ। “ବନସ୍ତେ ଡାକିଲା ଗଜ” ଭଳି ସୁମଧୁର ଗୀତ ଗାଇ ଝିଅମାନେ ଆନନ୍ଦରେ ଦୋଳି ଖେଳନ୍ତି । ରାଜଧାନୀ ଭୁବନେଶ୍ୱର ସମେତ ପୁରୀ, କଟକ ଏବଂ ଅନ୍ୟାନ୍ୟ ଜିଲ୍ଲାରେ ବ୍ୟାପକ ସାଂସ୍କୃତିକ ଉତ୍ସବର ଆୟୋଜନ କରାଯାଇଛି ।










