ଜନ୍ମ ମାଟିରେ ବୀର ଯବାନ । ଜନ୍ମମାଟିକୁ ପୁଅ ଫେରିଛି । ଦେଖିବା ପାଇଁ କାହିଁ କେତେ ଦୂରରୁ ଲୋକ ଆସିଛନ୍ତି । ହେଲେ ପୁଅ ଉଠୁନି । କାରଣ ସେ ତା ମାର ସୁରକ୍ଷା ପାଇଁ ସହିଦ ହୋଇଯାଇଛି ।

ଅନ୍ୟପଟେ ମୃତ୍ୟୁର ଦୁଇଦିନ ପରେ ପୁଅକୁ ଶୋଇଥିବା ଦେଖି ଭୋ ଭୋ ହୋଇ କାନ୍ଦୁଛି ମା’ । ମନକୁ କେମିତି ବୁଝେଇବ ମା’ । ଦେଶ ପାଇଁ ମୋ ପୁଅ ଜୀବନ ଦେଇଛି, ମୁଁ ଗର୍ବିତ । ହେଲେ ଦଶ ମାସ ଦଶ ଦିନ ଗର୍ଭରେ ରଖି ଯାହାକୁ ଜନ୍ମ ଦେଇଛି ସେ ଯେ ଆଉ ମୋ କୋଳକୁ କେବେ ଫେରିବନି । ସବୁଦିନ ଛାଡି ଚାଲିଯାଉଛି । ସେକଥା ମା’ ଭୁଲିପାରୁନି ।

ସାରା ଜୀବନକୁ ସାଥୀ ହେଇ ରହିବ କହିଥିଲ । ହେଲେ ଅଧାବାଟରୁ ଛାଡି ଚାଲିଗଲ । କାହା ସାହାରା ନେଇ ବଞ୍ଚିବି । ବିବାହର ଦୁଇ ବର୍ଷ ନପୂରୁଣୁ, କାନ୍ଥରୁ ଚିତା ନ ଲିଭୁଣୁ, ମଥାରୁ ସବୁଦିନ ପାଇଁ ସିନ୍ଦୁର ଲିଭିଗଲା । ଏକଥାକୁ ସହଜରେ କେମିତି ଗ୍ରହଣ କରିବେ ମନୋଜଙ୍କ ସ୍ତ୍ରୀ ମୀନା । କୋଳରେ ଥିବା ବର୍ଷକର ଝିଅ କିଛି ବୁଝୁନି । ଆବାକାବା ହେଇ ମାର କାନ୍ଦ କାନ୍ଦ ମୁହଁକୁ ଦେଖୁଛି । 

ଝିଅର ପ୍ରଥମ ଜନ୍ମଦିନ ପାଳନ ପାଇଁ ଘରକୁ ଆସିଥିଲେ ମନୋଜ । ହସଖୁସିରେ ବିତିଥିଲା ଜନ୍ମଦିନ । ଆଉ ଥରେ ଘରକୁ ଛୁଟିରେ ଆସିଲେ ପୁରୀ, କୋଣାର୍କ ବୁଲେଇ ନେବେ ବୋଲି ସ୍ତ୍ରୀକୁ ପ୍ରତିଶ୍ରୁତି ଦେଇଯାଇଥିଲେ ମନୋଜ । ଆମେ କହୁଛୁ, ଜମ୍ମୁ କଶ୍ମୀର ପୁଲୱାମାରେ ଗୁରୁବାର କଟକ ଜିଲ୍ଲା ନିଆଳି ରତନପୁର ଅଞ୍ଚଳର ସହିଦ ହୋଇଥିବା ମନୋଜ କୁମାର ବେହେରାଙ୍କ କଥା । ଅନ୍ୟପଟେ କୋହରେ ଫାଟି ପଡୁଛି ବୁଢା ବାପାର ଛାତି । ସ୍ୱାମୀଙ୍କ ମୃତ୍ୟୁ ଖବର ଶୁଣି ଚୁପ ହୋଇଯାଇଛନ୍ତି ପତ୍ନୀ ମୀନା । ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ଜଗତସିହଂପୁର ନାଉଗାଁ ବ୍ଲକ ଶିଖର ଗାଁର ପ୍ରସନ୍ନ କୁମାର ସାହୁ । ମରଶରୀର ଗାଁରେ ପହଁଞ୍ଚିବା ପରେ ପରିବାର ସମେତ ପୁରା ଗାଁରେ ଶୋକାକୂଳ ପରିବେଶ ।


ଦେଶର ସୁରକ୍ଷା ଓ ଶତ୍ରୁଙ୍କ ସହ ଲଢିବା ପାଇଁ ଦିନେ ଗାଁ ମାଟି ଛାଡିଥିଲେ ପ୍ରସନ୍ନ । ଆଜି ସେ ଦେଶ ପାଇଁ ବଳିଦାନ ଦେଇ ସହିଦ ହୋଇଯାଇଛନ୍ତି । ଆତଙ୍କବାଦୀଙ୍କ ଆକ୍ରମଣରେ ୪୦ ଯବାନ ସହିଦ ହୋଇଛନ୍ତି । ଘଟଣାକୁ ନେଇ ସାରା ଦେଶରେ ଏବେ ପ୍ରତିଶୋଧର ନିଆଁ ଜଳୁଛି ।

LEAVE A REPLY

Please enter your comment!
Please enter your name here