ମାଲକାନଗିରି ସଦର ବ୍ଲକ ସିଆଡିମାଳ ପଞ୍ଚାୟତ ଡଙ୍ଗସ୍କାଲ ଗ୍ରାମରେ ଅଜଣା ଜନ୍ତୁ ଆତଙ୍କ । ମଙ୍ଗଳବାର ଅପରାହ୍ନରେ ଅଜଣା ଜନ୍ତୁ ଆକ୍ରମଣରେ ୭ଟି ଛେଳି ଓ ୩ଟି ମେଣ୍ଢାଙ୍କ ମୃତ୍ୟୁ ଘଟିଥିବା ବେଳେ ଗୋଟିଏ ମେଣ୍ଢା ଓ ଗୋଟିଏ ଛେଳି ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି। ମୃତ ପଶୁଙ୍କ ବେକ ଓ ପେଟରେ ଗଭୀର ଆଘାତ ଲାଗିଛି।
ସୁଚନାଅନୁସାରେ, ମାଲକାନଗିରି ସଦର ମହକୁମାଠାରୁ ୨୦ କିମି ଦୂର ଡଙ୍ଗସ୍କାଲ ଗାଁ ନିକଟ ଜଙ୍ଗଲରେ ଉକ୍ତ ଗ୍ରାମର କେତେକ ଛେଳି ଚରାଳି ଛେଳି ମେଣ୍ଢାଙ୍କୁ ଚରାଇବାକୁ ନେଇଥିଲେ। ସେମାନେ ଜଙ୍ଗଲରେ ପାଳିତ ପଶୁମାନଙ୍କୁ ଛାଡ଼ି ମହୁଲ ଫୁଲ ସଂଗ୍ରହ ପାଇଁ ଅନ୍ୟତ୍ର ପଳାଇଥିଲେ। ଅପରାହ୍ନ ୫ଟାରେ ଛେଳି ମେଣ୍ଢାଙ୍କ ଚିତ୍କାର ଶୁଣି ଗ୍ରାମବାସୀ ଏବଂ ଚରାଳି ଘଟଣାସ୍ଥଳରେ ପହଞ୍ଚି ୧୦ ଛେଳି ମେଣ୍ଢାଙ୍କ ମୃତ୍ୟୁ ଘଟିଥିବା ଦେଖିବାକୁ ପାଇଥିଲେ। ପରେ ଆଖପାଖ ଜଙ୍ଗଲରେ ଖୋଜାଖୋଜି କରାଯାଇଥିଲେ ହେଁ ଗ୍ରାମବାସୀ କୌଣସି ବନ୍ୟଜନ୍ତୁଙ୍କୁ ଦେଖିବାକୁ ପାଇ ନ ଥିଲେ। ଏ ନେଇ ଗ୍ରାମବାସୀ ବିଧାୟକ ମାନସ ମାଡ଼କାମିଙ୍କୁ ଜଣାଇଥିଲେ। ମାଡ଼କାମି ଜିଲ୍ଲା ମୁଖ୍ୟ ପଶୁ ଚିକିତ୍ସାଧିକାରୀ ଡା. ପ୍ରଦୀପ କୁମାର ଦାସଙ୍କୁ ଜଣାଇବା ପରେ ସେ ସହକାରୀ ଜିଲା ଚିକିତ୍ସାଧିକାରୀ ଡା. ସୁବ୍ରତ ଚନ୍ଦ୍ର ଜେନା, ଡା. ବିରେନ୍ଦ୍ର କୁମାର ପୃଷ୍ଟି, ଡା. ଖାନ ମୁଦାସର ନାଜମି, ଡା. ସତ୍ୟ ଖାଡ଼ଙ୍ଗା ଏବଂ ଚଲାଣଗୁଡା ଲାଇଫ୍‌ ଷ୍ଟକ ଇନ୍‌ସପେକ୍ଟର ସୁକାନ୍ତ ସାନାଙ୍କୁ ନେଇ ଘଟଣାସ୍ଥଳରେ ପହଞ୍ଚିଥିଲେ। ମୃତ୍ୟୁ ସମ୍ବନ୍ଧରେ ତଥ୍ୟ ସଂଗ୍ରହ କରାଯାଇଥିବା ବେଳେ ବୁଧବାର ସକାଳେ ମୃତ ପଶୁଙ୍କ ବ୍ୟବଚ୍ଛେଦ କରାଯାଇଛି। ମୃତ ଛେଳିମେଣ୍ଢାଙ୍କ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ଜିଲା ମୁଖ୍ୟ ପ୍ରାଣୀଅଧିକାରୀ କହିଛନ୍ତି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳର ଲୋକମାନେ ଭୟଭୀତ ଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here