ମେଲବର୍ଣ୍ଣରେ ବକ୍ସିଂ ଡେ’ ଟେଷ୍ଟ ଜିତିଲା ଭାରତ । ୮ ୱିକେଟରେ ଅଷ୍ଟ୍ରେଲିଆକୁ ହରାଇଲା ଭାରତ । ୨ ୱିକେଟରେ ୭୦ ରନ କରି ଜିତିଲା ଭାରତ । ଅଷ୍ଟ୍ରେଲିଆ ୧୯୫ ଓ ୨୦୦ , ଭାରତ ୩୨୬ ଓ ୭୦/୨ । ଦ୍ୱିତୀୟ ମ୍ୟାଚ ସୁଦ୍ଧା ୪ ମ୍ୟାଚ ଟେଷ୍ଟ ସିରିଜ ୧-୧ରେ ବରାବର । ଜବରଦସ୍ତ ବୋଲିଂ ସାଙ୍ଗକୁ ରାହାଣେଙ୍କ କ୍ୟାପଟେନ୍ସି ଇନିଂସ୍ ବଳରେ ଟିମ୍ ଇଣ୍ଡିଆ ଏହି ଐତିହାସିକ ଟେଷ୍ଟରେ ୮ ୱିକେଟରେ ଅଷ୍ଟ୍ରେଲିଆକୁ ହରାଇ ହିସାବ ବରାବର କରିଛି। ଏହି ବିଜୟ ସହ ଚାରିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ୧-୧ରେ ବରାବର ହୋଇଛି। ସିରିଜରେ ଆହୁରି ଦୁଇଟି ମ୍ୟାଚ୍ ବାକି ରହିଛି।
ଉକ୍ତ ଟେଷ୍ଟରେ ଅଷ୍ଟ୍ରେଲିଆ ୨ୟ ଇନିଂସରେ ୨୦୦ ରନରେ ଅଲଆଉଟ୍ ହୋଇ ଭାରତକୁ ୭୦ ରନର ଟାର୍ଗେଟ୍ ଦେଇଥିଲା। ଏହି ଛୋଟିଆ ଲକ୍ଷ୍ୟକୁ ପିଛା କରିବା ପାଇଁ ଭାରତକୁ ଆଦୌ କଷ୍ଟ କରିବାକୁ ପଡ଼ିନଥିଲା। ଭାରତ ୧୫.୫ ଓଭରରେ ୨ ୱିକେଟ୍ ହରାଇ ଏହି ୭୦ ରନ୍ କରି ବିଜୟୀ ହୋଇଛି। ଭାରତ ଆରମ୍ଭରୁ ଓପ୍ନର ମୟଙ୍କ ଅଗ୍ରୱାଲ୍ ଓ ଚେତେଶ୍ୱର ପୂଜାରାଙ୍କ ୱିକେଟ୍ ହରାଇଥିଲା। କିନ୍ତୁ ଡେବ୍ୟୁଟାଣ୍ଟ ଶୁବମନ୍ ଗିଲ୍ ଓ କ୍ୟାପଟେନ୍ ରାହାଣେ ସକାରାତ୍ମକ ବ୍ୟାଟିଂ କରି ଭାରତକୁ ଐତିହାସିକ ବିଜୟ ଭେଟି ଦେଇଥିଲେ। ଏହି ବିଜୟ ସହ ଭାରତ ୨୦୨୦ ବର୍ଷ ଶେଷ କରିଛି।