କେନ୍ଦୁଝର: (ରିପୋର୍ଟ-ବିକାଶ ବିଶ୍ବାଳ) ଗାଁରେ ପହଞ୍ଚୁନି ଟିକା । ଯେତିକି ଟିକା ଯିବା କଥା, ସେତିକି ପହଞ୍ଚୁନି । ଟିକା ନେଇ ଯାଉଥିବା ସ୍ବାସ୍ଥ୍ୟ ବିଭାଗ କର୍ମଚାରୀ କିଛି ଟିକା ଅଧା ବାଟରେ ବିକି ଦେଉଥିବା ଅଭିଯୋଗ ହୋଇଛି । ଏମିତି ସଙ୍ଗୀନ ଅଭିଯୋଗ ଆସିଛି କେନ୍ଦୁଝର ଜିଲ୍ଲା ହାତଡ଼ିହି ବ୍ଲକ ଶାଳଣିଆଁରୁ ।
ମିଳିଥିବା ସୂଚନା ଅନୁଯାୟୀ, ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ ଥିବା ଡ଼ଅଁର ପଂଚାୟତ ସରଳା ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ଟୀକାକରଣ କେନ୍ଦ୍ର ହୋଇଥିଲା । ଏଥିରେ ୧୨୦ଜଣଙ୍କୁ ଟୀକା ଦେବାପାଇଁ ବ୍ୟବସ୍ଥା କରାଯାଇଥିଲା । ଫଳରେ ଲୋକମାନେ ସକାଳ ଠାରୁ ଏଠାରେ ଭିଡ ଜମାଇଥିଲେ । କିନ୍ତୁ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀମାନେ ବହୁ ବିଳମ୍ବରେ ପହଞ୍ଚିଲେ । ଏପରିକି ବାଟରୁ ସେମାନେ କିଛି ଟୀକା ବିକ୍ରି କରିଦେଇଥିବା ପ୍ରଚାର ହୋଇଯାଇଥିଲା । ଏହା ଶୁଣିବାପରେ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ସମସ୍ତଙ୍କ ଉପସ୍ଥିତିରେ ଟୀକାବଟଲ ଗୁଡିକୁ ଖୋଲାଯିବାପରେ ସେଠାକୁ ଯାଇଥିବା ୧୨ ଭଏଲ ଟୀକାରୁ ଗୋଟିଏ ଭଏଲ ଟୀକାର ସିଲ୍ ଖୋଲାଥିବା ଦେଖିବାକୁ ମିଳିଥିଲା । ଖୋଲାଥିବା ବଟଲରୁ ବହୁ ଭାକସିନ ନଥିବା ଦେଖିବାକୁ ମିଳିଥିଲା । ଏନେଇ ଗାଁ ଲୋକମାନେ ପ୍ରତିବାଦ କରି ଟୀକାକେନ୍ଦ୍ରରେ ପାଟିତୁଣ୍ଡ କରିବା ପରେ କର୍ମଚାରୀମାନେ ଟୀକାକୁ ସେମାନଙ୍କ କିଛି ସମ୍ପର୍କୀୟ ମାନଙ୍କୁ ଦେଇଦେଇଥିବା ସ୍ୱୀକାର କରିଥିବା କୁହାଯାଉଛି ।
ସଂପୃକ୍ତ କର୍ମଚାରୀମାନେ ଗାଁ ଲୋକଙ୍କୁ କ୍ଷମା ମାଗିବାପରେ ଲୋକମାନେ ଟୀକା ନେଇଥିଲେ । କିନ୍ତୁ ଖୋଲାଥିବା ଭାକସିନରେ ପାଣି ମିଶାଯାଇଥିବା ସନ୍ଦେହରେ କେହି ଟିକା ନେବାକୁ ରାଜି ହୋଇ ନଥିଲେ । ଏ ସମ୍ପର୍କରେ ଗ୍ରାମବାସୀ ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଓ ଜିଲ୍ଲାପାଳଙ୍କୁ ଅବଗତ କରାଇଛନ୍ତି । ଏ ସମ୍ପର୍କରେ ଜିଲ୍ଲା ମୂଖ୍ୟ ଚିକିତ୍ସା ଅଧିକାରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀଙ୍କୁ ତଦନ୍ତ କରିବାକୁ ନିର୍ଦେଶ ଦେଇଛନ୍ତି ।