ଆମେରିକାକୁ ସଠିକ୍ ପଥକୁ ଆଣିବା ପାଇଁ ଯଦି ଭାରତ, ଚୀନ୍ ଏବଂ ରୁଷ ପରି ବୈଶ୍ୱିକ ଶକ୍ତିମାନେ ନିଜର ପ୍ରଭାବ ବ୍ୟବହାର କରିବେ, ତେବେ ଦୁନିଆକୁ ଯୁଦ୍ଧ ମୁହଁରୁ ବଞ୍ଚାଯାଇପାରିବ ବୋଲି ଇରାନ ଆଶାବାଦୀ ଅଛି । ଏହାସହ ପଶ୍ଚିମ ଏସିଆ ଯୁଦ୍ଧରେ ଭାରତ ହସିତ ଏହି ତିନି ଦେଶର କୂଟନୀତିକୁ ଇରାନ ପ୍ରଶଂସା ମଧ୍ୟ କରିଛି । ମୁମ୍ବାଇରେ ଇରାନର କାଉନସେଲ୍ ଜେନେରାଲ୍ ସୟିଦ୍ ରଜା ମୋସୟେବ ମୋତଲାଘ କହିଛନ୍ତି ଯେ, ଏହା ଏକ ବଡ଼ ବିଡ଼ମ୍ବନା ଯେ ଆମେରିକା ଏବଂ ଇସ୍ରାଏଲ ହତ୍ୟାକୁ ଏକ ସମାଧାନ ଭାବେ ଉପସ୍ଥାପନ କରୁଛନ୍ତି। ଭାରତରେ ଅବସ୍ଥାପିତ ଇରାନର ଏହି କୂଟନୀତିଜ୍ଞ ନ୍ୟୁଜ୍ ଏଜେନ୍ସି ANI କୁ କହିଛନ୍ତି ଯେ, “ନିଜ ସ୍ୱାର୍ଥର ବିପଦ ଥାଇ ମଧ୍ୟ ଭାରତ, ଚୀନ୍ ଏବଂ ରୁଷ ଏହି ସଂଘର୍ଷରେ ହସ୍ତକ୍ଷେପ ନକରି ଦୂରେଇ ରହିଛନ୍ତି, ଯାହା ପ୍ରମାଣ କରୁଛି ଯେ ସେମାନେ ଶାନ୍ତି ଚାହୁଁଛନ୍ତି। ଏହି ଦେଶଗୁଡ଼ିକ ଆମେରିକାର ଆକ୍ରମଣକୁ ଯଥାର୍ଥ ମନେ କରିନାହାଁନ୍ତି କିମ୍ବା ସମର୍ଥନ ମଧ୍ୟ କରିନାହାଁନ୍ତି । ସେମାନେ ନିଜକୁ ଇରାନକୁ ସାମରିକ ସହାୟତା ପ୍ରଦାନ କରିବା ସ୍ଥିତିରେ ମଧ୍ୟ ରଖିନାହାଁନ୍ତି।” ଇରାନ ଆଶା କରୁଛି ଯେ ଯଦି ବିଶ୍ୱର ଏହି ତିନି ପ୍ରମୁଖ ଶକ୍ତି ଯଦି ଏବେ ଆମେରିକା ଏବଂ ଇସ୍ରାଏଲକୁ ବୁଝାଇବାକୁ ଚେଷ୍ଟା କରନ୍ତି ତେବେ ସେମାନଙ୍କ ଉପରେ ଚାପ ପଡ଼ିପାରେ। ଯୁଦ୍ଧ ପାଇଁ ସେ ଆମେରିକା ଓ ଇସ୍ରାଏଲକୁ ସମ୍ପୂର୍ଣ୍ଣ ଦାୟୀ କରିଛନ୍ତି। ସେ କହିଛନ୍ତି ଯେ ଯେପର୍ଯ୍ୟନ୍ତ ଏହି ପ୍ରସଙ୍ଗଗୁଡ଼ିକର ସମାଧାନ ନହୋଇଛି, ସେପର୍ଯ୍ୟନ୍ତ ବିଶ୍ୱକୁ ବେଲଗାମ ସଂଘର୍ଷ ଏବଂ ଯୁଦ୍ଧର ଉନ୍ମାଦନାର ସାମ୍ନା କରିବାକୁ ପଡ଼ିବ । ଇରାନର କାଉନସେଲ୍ ଜେନେରାଲ୍ କହିଛନ୍ତି ଯେ, ଇରାନ ଆରମ୍ଭରୁ ସ୍ପଷ୍ଟ କରିଛି ଯେ ଏହା ଏକ ସ୍ୱାଧୀନ ଦେଶ, ଯିଏ ନିଜର ନିଷ୍ପତ୍ତି ରାଷ୍ଟ୍ରହିତ ଆଧାରରେ ନେଇଥାଏ। ଇରାନ ପୂର୍ବରୁ ମଧ୍ୟ ଆଲୋଚନା ପାଇଁ ପ୍ରସ୍ତୁତ ଥିଲା ଏବଂ ଆଜି ମଧ୍ୟ ପ୍ରସ୍ତୁତ ଅଛି। କିନ୍ତୁ, “ଦୁନିଆର କୌଣସି ବି ଶକ୍ତି ଇରାନ ଉପରେ ନିଜର ହୁକୁମ ଜାରି କରିପାରିବେ ନାହିଁ କିମ୍ବା ଆମେ ପରର ଅଧୀନତା ସ୍ୱୀକାର କରିବୁ ନାହିଁ।” ଆମେରିକା ସହ ହୋଇଥିବା ଶାନ୍ତି ଆଲୋଚନା ପରେ ମୋତଲାଘ କହିଛନ୍ତି ଯେ, “ଫଳାଫଳରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ଆମେରିକା କୂଟନୀତିରେ କେଉଁ ପନ୍ଥା ଆପଣାଉଛି। ଆମେରିକା ଇରାନ ଉପରେ ନିଜର ସର୍ତ୍ତ ଲଦିବାକୁ ଚାହୁଁଛି।”













