ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀରେ ଭାରତ-ଜାପାନ ଶିଖର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଜାପାନର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ସନା ତକାଇଚୀଙ୍କର ଏହା ପ୍ରଥମ ଭାରତ ଗସ୍ତ । ଏହି ସମ୍ମିଳନୀରେ ଉଭୟ ଦେଶ ମଧ୍ୟରେ ଫାର୍ମା, ପ୍ରତିରକ୍ଷା, ବୈଷୟିକ, ସେମିକଣ୍ଡକ୍ଟର୍, କୃତ୍ରିମ ବୁଦ୍ଧିମତା (ଏଆଇ), ପରିବହନ ଏବଂ ଆର୍ଥିକ ନିବେଶକୁ ନେଇ ଦ୍ୱିପାକ୍ଷିକ ଚୁକ୍ତି ହୋଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ଦେଶ ମଧ୍ୟରେ ସୁସମ୍ପର୍କ ଉପରେ ଆଲୋକପାତ କରିଛନ୍ତି । ମୋଦୀ ଜାପାନ ପ୍ରଧାନମନ୍ତ୍ରୀଙ୍କୁ ସାନ ଭଉଣୀ ଭାବରେ ସମ୍ବୋଧିତ କରି ଭାରତକୁ ସ୍ୱାଗତ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଦୁଇ ଦେଶର ସମ୍ପର୍କ ଉପରେ ଜୋର ଜି-୭ ଶିଖର ସମ୍ମିଳନୀର ମନ୍ତବ୍ୟକୁ ଦୋହରାଇ କହିଛନ୍ତି ଯେ ବର୍ତ୍ତମାନ ବାଣିଜ୍ୟିକ ସଙ୍କଟ ମଧ୍ୟରେ ଉଭୟଙ୍କ ଉପରେ ବିଶ୍ୱାସ ସବୁଠାରୁ ବୃହତ ରଣନୈତିକ ଶକ୍ତି । ଭାରତ ଏବଂ ଜାପାନର ଚୁକ୍ତି ଏହି ବିଶ୍ୱାସକୁ ଆହୁରି ମଜବୁତ କରିଛି । ଅନେକ ବର୍ଷ ଧରି ଅଟୋମୋବାଇଲଠାରୁ ଆରମ୍ଭ କରି ବୈଦ୍ୟୁତିକ ପର୍ଯ୍ୟନ୍ତ ଜାପାନ ଭାରତର ବିଶ୍ୱାସକୁ ଜିତିଛି । ଆଉ ପ୍ରଧାନମନ୍ତ୍ରୀ ତକାଇଚିଙ୍କ ଗସ୍ତରୁ ଏହି ସ୍ୱତନ୍ତ୍ର ରଣନୀତି ଏବଂ ବାଣିଜ୍ୟିକ ସମ୍ପର୍କରେ ଏକ ନୂତନ ଅଧ୍ୟାୟ ଆରମ୍ଭ ହୋଇଛି । ଭାରତ ଏବଂ ଜାପାନ ମଧ୍ୟରେ କେବଳ ଆର୍ଥିକ ସମ୍ପର୍କ ନୁହେଁ ବରଂ ବିଶ୍ୱାସ, ଓ ଲୋକତାନ୍ତ୍ରିକ ମୂଲବୋଧର ସୁଦୃଢ଼ ସମ୍ପର୍କ । ଆଗାମୀ ଭବିଷ୍ୟତରେ ଏହି ବୁଝାମଣା ଦୁଇ ଦେଶର ବିକାଶ ସହିତ ସମ୍ପୂର୍ଣ୍ଣ ହିନ୍ଦ-ପ୍ରଶାନ୍ତ କ୍ଷେତ୍ରରେ ଶାନ୍ତି, ସ୍ଥିରତା ଏବଂ ସମୃଦ୍ଧିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବା ନେଇ ପ୍ରଧାନମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି ।













