ମଣିପୁର: ଉଗ୍ରବାଦୀଙ୍କ କାର୍ଯ୍ୟକଳାପରେ ପୁଣି ଥରେ ମଣିପୁର ଅଶାନ୍ତ ହୋଇପଡ଼ିଛି । ଆଜି ରାଜ୍ୟରେ ୨ ଜଣ ଆତଙ୍କବାଦୀ ଦୁଇଟି କାର୍ ଉପରେ ଆଖିବୁଜା ଗୁଳି ଚାଳନା କରିଛନ୍ତି । ଫଳରେ ୪ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ଓ ୨ ଜଣ ପୁରୁଷ ରହିଛନ୍ତି । ଇମ୍ଫାଲ-ଉଖରୁଲ ରୋଡ୍ ପରେ ନ୍ୟୁ ହେବନ୍ ଅଞ୍ଚଳରେ ଏହି ଗୁଳି କାଣ୍ଡ ହୋଇଥିବା ପୋଲିସ ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ପୋଲିସ ଦେଇଥିବା ସୂଚନା ଅନୁସାରେ, ଦୁଇଟି କାରର କାଚରେ ଗୁଳି ଦାଗ ରହିଛି । ଏହା ପୂର୍ବରୁ ମଧ୍ୟ କାଙ୍ଗପୋକପୀର ତାପହୋଉ କୁକୀ ଗ୍ରାମ ଓ ପଡ଼ୋଶୀ ସେନାପତି ଜିଲ୍ଲାର କୈଲେଜଙ୍ଗ ଗ୍ରାମରେ ଦୁଇ ବିରୋଧୀଙ୍କ ମଧ୍ୟରେ ଗୁଳିକାଣ୍ଡ ଯୋଗୁଁ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିଲା । ସୂଚନା ଥାଉ ଯେ, ୨୦୨୩ ମସିହା ମେ’ ମାସରୁ ମଣିପୁରର ଦୁଇ ସମ୍ପ୍ରଦାୟ ମୈତେଇ ଏବଂ କୁକି ମଧ୍ୟରେ ଆରମ୍ଭ ହୋଇଥିବା ଜାତିଗତ ସଂଘର୍ଷ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ଅତିକମରେ ୩୦୬ ଜଣ ଲୋକ ପ୍ରାଣ ହରାଇଥିବାବେଳେ ୪୯ ଜଣ ଲୋକ ନିଖୋଜ ଅଛନ୍ତି ।













