ମୁଖ୍ୟମନ୍ତ୍ରୀ ବିଧାନସଭା ଯାଉନାହାଁନ୍ତି । ବିଧାନସଭା ଅଚଳ ହୋଇ ରହିଛି । ମଣ୍ଡିରେ ଚାଷୀଙ୍କ ଧାନ ପଡିରହିଛି । ଶେଷରେ ଆଜି ବିଧାନସଭାରୁ ବିଜେପି ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କୁ ଖୋଜିବାକୁ ନବୀନ ନିବାସ ଗଲେ । ବିଜେପି ବିଧାୟକଙ୍କ ପଛେ ପଛେ ବିଜେଡି ବିଧାୟକମାନେ ବି ନବୀନ ନିବାସ ଗଲେ । ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାଶ କହିଲେ, ଆମେ ବିରୋଧୀ ଦଳ ନେତା ଓ ବିଧାୟକଙ୍କୁ ନବୀନ ନିବାସକୁ ପାଛୋଟି ନେବୁ । ମାତ୍ର ଅଧା ବାଟରେ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଯାଇଥିଲା । ମନ୍ତ୍ରୀ ପ୍ରତାପ ଜେନା ଗଣମାଧ୍ୟମକୁ କହିଲେ, ନବୀନ ନିବାସ ଯାଇ ବିଜେପି ବିଧାୟକମାନେ ପାପ ଧୋଇ ଦିଅନ୍ତୁ । ନବୀନ ନିବାସ ଆଗରେ ପହଞ୍ଚିବା ପରେ ବିଜେପି ବିଧାୟକମାନେ କହିଲେ ଆମେ ପାପ କରିନୁ, ତେଣୁ ଆମେ ନବୀନ ନିବାସ ଯିବୁନି । ମନ୍ତ୍ରୀ ସମୀର ଦାସ, ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ପ୍ରମୁଖ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଓ ବିଜେପି ବିଧାୟକଙ୍କୁ ନବୀନ ନିବାସ ଭିତରକୁ ଯିବା ପାଇଁ ହାତ ଯୋଡି ଡାକିଲେ, କିନ୍ତୁ ବିରୋଧୀ ସିଧାସଲଖ କହିଲେ, ମୁଖ୍ୟମନ୍ତ୍ରୀ ନିଜେ ବାହାରକୁ ଆସନ୍ତୁ । ଶେଷରେ ବିରୋଧୀଙ୍କ ଚାପ ଆଗରେ ମୁଣ୍ଡ ନୁଆଁଇଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସ ବାହାରକୁ ଆସି ବିରୋଧୀ ଦଳ ବିଧାୟକଙ୍କୁ ଭେଟିଲେ ଏବଂ ନବୀନ ନିବାସ ଭିତରକୁ ତାଙ୍କ ସାଙ୍ଗେ ଯିବା ପାଇଁ ଡାକିଥିଲେ । ମୁଖ୍ୟମନ୍ତ୍ରୀ ବାହାରକୁ ଆସି ଡାକିବା ପରେ ବିରୋଧୀ ତାଙ୍କ ସାଙ୍ଗେ ନବୀନ ନିବାସକୁ ଭିତରକୁ ଯାଇ ଆଲୋଚନା କରିଛନ୍ତି ।

LEAVE A REPLY

Please enter your comment!
Please enter your name here