ନୂଆବର୍ଷରେ ଭୁବନେଶ୍ବର-କଟକ-ପୁରୀ ମେଟ୍ରୋ ରେଳ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତାକାଲି ସକାଳ ସାଢେ ନଟାରେ ତ୍ରିଶୁଳିଆ ଠାରେ ଏହି ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ । ଗତ ଏପ୍ରିଲ 1 ତାରିଖ ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀ ମେଟ୍ରୋ ରେଳ ପ୍ରକଳ୍ପ ବିଷୟରେ ଘୋଷଣା କରିଥିଲେ । ଏହା ମଧ୍ୟରେ ରାଜ୍ୟ ସରକାର ପ୍ରସ୍ତୁତ କରିଥିବା ମୋଟ୍ରୋ ରେଳ ପ୍ରକଳ୍ପ ରିପୋର୍ଟ କେନ୍ଦ୍ର ସରକାରଙ୍କ ଅନୁମୋଦନ ଲାଭ କରିସାରିଛି । ଭୁବନେଶ୍ବର ମେଟ୍ରୋ ରେଳ କର୍ପୋରେସନ ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ ସହିତ ଚୁକ୍ତି ସ୍ବାକ୍ଷର କରିସାରିଛି ଏବଂ ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର ବିମାନ ବନ୍ଦର ଠାରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ମେଟ୍ରୋ ରେଳ ପାଇଁ ନିର୍ମାଣ କାର୍ଯ୍ୟ କରାଯିବ । ମେଟ୍ରୋ ରେଳ ପ୍ରକଳ୍ପ ପାଇଁ 6255 କୋଟି ଟଙ୍କା ଖର୍ଚ୍ଚ ହେବ । ଭୁବନେଶ୍ବରରେ ମେଟ୍ରୋ ରେଳ ନିର୍ମାଣ ହେବା ଦ୍ବାରା ଓଡିଶାର ରାଜଧାନୀ ଦେଶର ପ୍ରମୁଖ ମେଟ୍ରୋ ସହର ମଧ୍ୟରେ ସ୍ଥାନ ହାସଲ କରିବ । ଅନେକ କ୍ଷେତ୍ରରେ ଭୁବନେଶ୍ବର ମହାନଗର ଏବେ ଦେଶର ପ୍ରମୁଖ ସହର ଭାବେ ସମସ୍ତଙ୍କୁ ଆକର୍ଷିତ କରୁଥିବା ବେଳେ ମେଟ୍ରୋ ପ୍ରକଳ୍ପ ଆଉ ଏକ ନୂଆ ଅଧ୍ୟାୟ ଯୋଡିବାକୁ ଯାଉଛି । ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ଆସନ୍ତାକାଲି ଭିତ୍ତିପ୍ରସ୍ତର ସ୍ଥାପନ କରିବେ ଏବଂ ଓଡିଶାବାସୀଙ୍କ ପାଇଁ ଏହା ଐତିହାସିକ ଦିନ ବୋଲି ମେୟର ସୁଲୋଚନା ଦାସ କହିଛନ୍ତି । ଅନ୍ୟପକ୍ଷରେ ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇବାକୁ ଦଳ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି । ଭୁବନେଶ୍ବରର ତିନି ବିଧାୟକଙ୍କ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ରାସ୍ତାକଡରେ ଛିଡା ହୋଇ ହଜାର ହଜାର ସମର୍ଥକ ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇବେ ।

LEAVE A REPLY

Please enter your comment!
Please enter your name here