ଶେଷରେ ପଛକୁ ହଟିଲା ଡ୍ରାଗନ୍ । ଗତ କିଛିଦିନ ହେବ ଯେଉଁ ଚୀନ୍ ଭାରତକୁ ବାରମ୍ବାର ନାଲି ଆଖି ଦେଖାଇ ଆସୁଥିଲା ସେ ଆଜି ଲଦାଖର ଗଲ୍‌ୱାନ୍ ଘାଟିରୁ ଏକ କିଲୋମିଟରରୁ ୨ କି.ମି ପର୍ଯ୍ୟନ୍ତ ପଛକୁ ହଟିଥିବା ନେଇ ଆଜି ଭାରତୀୟ ସେନା ପକ୍ଷରୁ ସୁଚନା ମିଳିଛି । ଜୁନ୍ ୧୫ରେ ଲଦାଖର ଗଲଓାନ ଘାଟିରେ ଉଭୟ ଭାରତ ଓ ଚୀନ୍ ସେନା ମୁହାଁମୁହିଁ ହୋଇଥିଲେ । ଏହି ସଂଘର୍ଷରେ ୨୦ ଜଣ ଭାରତୀୟ ଯବାନ୍ ସହିଦ୍ ହୋଇଥିବା ବେଳେ ୪୦ ରୁ ଅଧିକ ଚୀନ୍ ସେନା ମୃତାହତ ହୋଇଥିଲେ । ତେବେ ଏଭଳି ସଂଘର୍ଷ ପରେ ଚୀନ ଗଲଓାନ ଘାଟିକୁ କବଜା କରିବା ପାଇଁ ଉଦ୍ୟମ କରିଥିଲା । ଗଲଓାନ ଘାଟି ଉପରେ ଚୀନ ନିଜର ସାର୍ବଭୌମତ୍ୱ ଅଧିକାର ସାବ୍ୟସ୍ତ କରିବା ସହ ସୀମାରେ ସେନା ଠୁଳ କରିବା ଆରମ୍ଭ କରିଥିଲା । ଚାଇନାକୁ ଜବାବ ଦେବାକୁ ଭାରତ ମଧ୍ୟ କୋଡିଏ ହଜାର ଯବାନଙ୍କୁ ସୀମାରେ ମୁତୟନ କରିବା ସହ ପାଟ୍ରୋଲିଂକୁ କଡାକଡି କରିଥିଲା । ଭାରତ-ଚୀନ ସୀମାନ୍ତରେ ଉତେଜନାକୁ ନଜରରେ ଆମେରିକା ମଧ୍ୟ ଜର୍ମାନରୁ ସେନା ପ୍ରତ୍ୟାହାର କରି ପୂର୍ବ ଏସିଆରେ ସେନା ମୁତୟନ କରିବାକୁ ପଦକ୍ଷେପ ନେଇଥିଲା । ଯେକୌଣସି ମୁହୂର୍ତରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ସମ୍ଭାବନା ଦେଖାଦେଇଥିବା ବେଳେ ତିନିଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପହଂଚିଥିଲେ ଲାଦାଖରେ । ସୀମାନ୍ତରେ ଭାରତୀୟ ସେନାର ମନୋବଳ ବୃଦ୍ଧି କରିବା ସହ ଦେଶମାତୃକାର ସୁରକ୍ଷା ପାଇଁ ଉତ୍ସାହିତ କରିଥିଲେ । ଅନ୍ୟପକ୍ଷରେ ଭାରତ ସରକାର ଟିକଟକ ସମେତ ୫୯ଟି ଚାଇନା ଆପ୍ ଉପରେ କଟକଣା ଲଗାଇ ଚୀନ ବିରୋଧରେ ଡିଜିଟାଲଷ୍ଟ୍ରାଇକ କରିଥିଲେ । ଏହା ମଧ୍ୟରେ ତିନିଥର କମାଣ୍ଡର ସ୍ତରୀୟ ଆଲୋଚନା ହେବା ପରେ ଆଜି ସେହି ଜାଗାରୁ ଚୀନ୍ ସେନା ପଛକୁ ଫେରିବା ଆରମ୍ଭ କରିଥିଲା । ଗଲଓାନ ଘାଟିର ଯେଉଁ ସ୍ଥାନରେ ଜୁନ ୧୫ରେ ସଂଘର୍ଷ ହୋଇଥିଲା, ଆଜି ସେହିସ୍ଥାନରୁ ସେନା କ୍ୟାମ୍ପ୍ ଗୁଡିକୁ ଚୀନ ଉଠାଇ ନେଇଛି । ତେବେ ଚୀନର ଏମିତି ଜବରଦଖଲ ନୀତି କେବଳ ଭାରତ ସହିତ ନୁହେଁ, ୨୦ଟି ରାଷ୍ଟ୍ର ସହିତ ଚାଇନାର ସୀମା ବିବାଦ ରହିଛି । ଲାଦାଖରେ ଭାରତର ୩୮ ହଜାର ବର୍ଗ କିଲୋମିଟର ଅଂଚଳକୁ ଚାଇନା ଜବରଦଖଲ କରି ନେଇଥିବା ବେଳେ ନେପାଳ, ଭୂଟାନ, ଭିଏତନାମ, ତିବତ, ତାଇଓାନ ଭଳି କୋଡିଏଟି ରାଷ୍ଟ୍ରର ସୀମା ଉପରେ ନିଜର ଅଧିକାର ସାବ୍ୟସ୍ତ କରିଆସୁଛି । ଏସିଆ ମହାଦେଶରେ ଚାଇନା ନିଜକୁ ସବୁଠୁ ପ୍ରଭାବଶାଳୀ ରାଷ୍ଟ୍ର ଭାବେ ପ୍ରତିଷ୍ଠିତ କରିବା ପାଇଁ ଅଭିଯାନ ଜାରି ରଖିଥିବା ବେଳେ ସମଗ୍ର ବିଶ୍ୱରେ ଭାରତର ପ୍ରଭାବ ଚାଇନାର କମ୍ୟୁନିଷ୍ଟ ସରକାର ପାଇଁ ପ୍ରତିବନ୍ଧକ ସୃଷ୍ଟି କରୁଛି ।

LEAVE A REPLY

Please enter your comment!
Please enter your name here