ଭାଷା ଅତୀତର ଅସ୍ତିତ୍ବ, ଭାଷା ହିଁ ଭବିଷ୍ୟତ । ଏ କଥା ଜାଣିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ 24 ବର୍ଷ ଲାଗିଗଲା । କ୍ଷମତାରେ 24 ବର୍ଷ ରହିବା ପରେ ନବୀନଙ୍କ ଭିତରେ ଓଡିଆ ଭାଷା ପ୍ରୀତି ଜନ୍ମ ହେବା ସମସ୍ତଙ୍କୁ ଚକିତ କରିଛି । ଯଦି ନବୀନଙ୍କ ଭିତରେ ଓଡିଆ ଭାଷା ପ୍ରତି ଭଲ ପାଇବା ଆସି ନଥାନ୍ତା, ସେ କଣ ଶହେ କୋଟି ଟଙ୍କା ଖର୍ଚ୍ଚ କରି ଏମିତି ବ୍ୟୟ ବହୁଳ ବିଶ୍ବ ଓଡିଆ ଭାଷା ସମ୍ମିଳନୀ ଆୟୋଜନ କରିଥାନ୍ତେ ?
ଚବିଶ ବର୍ଷ ଭିତରେ ପ୍ରଥମ ଥର ପାଇଁ ବିଜେଡି ସରକାର ଓଡିଆ ଭାଷାକୁ ନେଇ ଏଭଳି ବ୍ୟୟ ବହୁଳ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ତଥ୍ୟ କହୁଛି, ପ୍ରଥମ ବିଶ୍ବ ଓଡିଆ ସମ୍ମିଳନୀରେ ରାଜ୍ୟ ସରକାର ପ୍ରାୟ ଶହେ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ଯଦିଓ ଗତ ଚବିଶ ବର୍ଷ ଭିତରେ ଓଡିଆ ଭାଷା ପାଇଁ ସରକାରୀ ବଜେଟରେ ମିଳୁଥିବା ଅନୁଦାନ ପରିମାଣ ଅତି ନଗଣ୍ୟ ରହି ଆସୁଥିଲା । ନିର୍ବାଚନ ପୂର୍ବରୁ ଓଡିଆ ଭାଷାକୁ ନେଇ ଅନେକ ସରକାରୀ ଘୋଷଣା ହେଉଥିଲେ ବି ବାସ୍ତବରେ ତାହା ରୂପାନ୍ତର ହେଉ ନ ଥିଲା । ବରଂ ଦେଖିବାକୁ ଗଲେ ଗତ ଚବିଶ ବର୍ଷ ଭିତରେ ଓଡିଆ ଭାଷାକୁ ନେଇ ସରକାରୀସ୍ତରରେ ସେଭଳି କିଛି ଆଖିଦୃଶିଆ ଉଦ୍ୟମ ହୋଇଥିବାର ନଜିର ନାହିଁ । ଉପାନ୍ତ ଅଞ୍ଚଳରେ ଓଡିଆ ଭାଷା ପ୍ରଭାବ ଶୂନ୍ୟ ହୋଇପଡିଛି । ପଡୋଶୀ ରାଜ୍ୟ ଆନ୍ଧ୍ର ପ୍ରଦେଶ, ଛତିଶଗଡ, ପଶ୍ଚିମବଙ୍ଗ ସୀମାନ୍ତ ଇଲାକାରେ ଓଡିଆ ଭାଷା ପଡୋଶୀ ରାଜ୍ୟମାନଙ୍କ ଭାଷା ଚାପରେ ଦିଗହରା ହୋଇଛି । କୋଟିଆ ଗ୍ରାମପୁଞ୍ଜରେ ଓଡିଆ ଭାଷାଭାଷୀ ବିଦ୍ୟାଳୟଗୁଡିକୁ ଓଡିଆ ଶିକ୍ଷକ, ଓଡିଆ ପାଠ୍ୟପୁସ୍ତକ ଯୋଗାଇବାରେ ରାଜ୍ୟ ସରକାରଙ୍କ ବିଫଳତା କାରଣରୁ ଆନ୍ଧ୍ରପ୍ରଦେଶ ସରକାରଙ୍କ ତେଲୁଗ ବିଦ୍ୟାଳୟରେ ପିଲାମାନେ ପାଠ ପଢୁଛନ୍ତି । ରାଜଧାନୀର କାନ୍ଥବାଡରେ ରଙ୍ଗଲଗାଇ ଓଡିଆ ଭାଷାର ଯେତେ ପ୍ରଚାରପ୍ରସାର କଲେବି ସଚ୍ଚିବାଳୟରେ, ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରେ, ସରକାରୀ ନଥିରେ ଇଂଗ୍ରାଜୀ ଭାଷାକୁ ହଟେଇ ଓଡିଆ ଭାଷା ପ୍ରବେଶ କରିବା ସମ୍ଭବ ନୁହେଁ । ବରଂ ଯେଉଁ ଅର୍ଥରେ ସରକାର ବ୍ୟୟବହୁଳ ବିଶ୍ବ ଓଡିଆ ସମ୍ମିଳନୀ କଲେ, ତାର ସିଂହଭାଗ ସୀମାନ୍ତ ଓଡିଶାର ବିଭିନ୍ନ ବିଦ୍ୟାଳୟରେ ଓଡିଆ ଶିକ୍ଷକ ନିଯୁକ୍ତି ଓ ପାଠ୍ୟପୁସ୍ତକ ଯୋଗାଇବାରେ ବ୍ୟୟ କରିଥିଲେ ଅସ୍ଥିତ୍ବ ହରାଇବାକୁ ବସିଥିବା ଓଡିଆ ଭାଷା ପାଇଁ ଆଶ୍ବସ୍ତି ଆଣି ଦେଇଥାନ୍ତା ।
ଦକ୍ଷିଣ ଭାରତୀୟ ରାଜ୍ୟଗୁଡିକ ସେମାନଙ୍କ ମାତୃଭାଷାକୁ ନେଇ ଯେତିକି ଯତ୍ନବାନ, ତୁଳନା କଲେ ଆମେ ଓଡିଶାବାସୀ ନିଜ ମାତୃଭାଷାକୁ ନେଇ ସେତିକି ହୀନିମାନ । ଭାଷା ଭିତ୍ତିକ ରାଜ୍ୟ ଗଠନରେ ଆମେ ଯଦିଓ ପ୍ରଥମ, କିନ୍ତୁ ଭାଷା ସୁରକ୍ଷାରେ ଆମେ ସବୁଠୁ ପଛରେ । ଇଂଲିଶ କହୁଥିବା ଲୋକକୁ ଆମ ରାଜ୍ୟରେ ସବୁଠୁ ବେଶୀ ବୁଦ୍ଧିମାନ ବିଚାର କରାଯାଏ । ସେଥିପାଇଁ ଚବିଶବର୍ଷ ପରେ ବି ଆମ ମୁଖ୍ୟମନ୍ତ୍ରୀ ଓଡିଆ ଭାଷା ଶିଖି ପାରିଲେନି । ତଥାପି ମୁଖ୍ୟମନ୍ତ୍ରୀ ଯେତେବେଳେ ଇଂଗ୍ରାଜୀ ଅକ୍ଷରରେ ଲେଖା ଓଡିଆ ଭାଷଣ ପଢନ୍ତି, ଆମେ ଖୁସି ହେଉ, ତାଳି ମାରୁ । ମୁଖ୍ୟମନ୍ତ୍ରୀଙ୍କ ପାଟିରୁ ବଙ୍କା ତେଢା ଓଡିଆ ଭାଷଣ ଆମକୁ ଭଲ ଲାଗେ । ଆମ ନେତା, ମନ୍ତ୍ରୀ, ଅଫିସରମାନେ ମୁଖ୍ୟମନ୍ତ୍ରୀଙ୍କୁ ଇଂଲିଶରେ ବୁଝେଇବାକୁ ଚେଷ୍ଟା କରନ୍ତି । କାରଣ ଆମ ସରକାରୀ ଭାଷା ଇଂଲିଶ ଏବଂ ଇଂଲିଶ ଡ୍ରାଫ୍ଟିଂରେ ସରକାର ଚାଲେ । ସେଥିପାଇଁ ଓଡିଆ ଭାଷାର ସ୍ଥିତି ଗତ ଚବିଶ ବର୍ଷ ଭିତରେ ଆହୁରି ଖରାପ ହୋଇପଡିଛି । ଯଦି ସରକାରୀ ଭାଷା ଇଂଲିଶ ହୁଏ, ତେବେ ଛାତ୍ରଛାତ୍ରୀମାନେ ଓଡିଆ ମାଧ୍ୟମ ସ୍କୁଲରେ ପଢିବାକୁ କାହିଁକି ପସନ୍ଦ କରିବେ ? ଓଡିଆ ଭାଷାରେ ପାଠ ପଢିଲେ ସରକାରୀ ଚାକିରୀ ନାହିଁ । ଚାକିରୀ ନାହିଁ ତ ଭବିଷ୍ୟତ ନାହିଁ । ଅଶୀ ଦଶକରେ ପ୍ରାଥମିକ ବିଦ୍ୟାଳୟରୁ କଲେଜସ୍ତର ପର୍ଯ୍ୟନ୍ତ ଓଡିଆ ଭାଷା, ସାହିତ୍ୟ ପଢାଇବାକୁ ଶିକ୍ଷକ ରହୁଥିଲେ । ଏବେ ଗ୍ରାଜୁଏସନରେ ଅନେକ ପ୍ରତିଷ୍ଠିତ କଲେଜରେ ଓଡିଆ ଅନର୍ସରେ ଛାତ୍ରଛାତ୍ରୀ କେହି ନାହାଁନ୍ତି । ଓଡିଆରେ ପିଜି କରୁଥିବା ଛାତ୍ରଛାତ୍ରୀଙ୍କୁ ପଚାରେ କିଏ ? ଅନ୍ୟ ଭାଷାରେ ପିଜି କରୁଥିବା ଛାତ୍ରଛାତ୍ରୀଙ୍କ ତୁଳନାରେ ତାର ସମ୍ମାନ କମିବାରେ ଲାଗିଛି ।
ସରକାରଙ୍କ ସମାଲୋଚକମାନେ କହୁଛନ୍ତି, ଆଗକୁ ନିର୍ବାଚନ ଆସୁଛି, ତେଣୁ ସରକାର ଏମିତି ବ୍ୟୟବହୁଳ ଭାଷା ସମ୍ମିଳନୀ କରିଛନ୍ତି । ଖୁସି କଥା, ଓଡିଆ ଭାଷା, ସାହିତ୍ୟକୁ ବି ନିର୍ବାଚନ ଚାଲ୍ କରାଯାଇପାରେ । କାରଣ ରାଜନୀତି ସତରଞ୍ଜରେ ଓଡିଆ ଭାଷା, ସାହିତ୍ୟ କେବେଠୁ ନିଜ ସ୍ଥିତି ହରାଇ ସାରିଛି । ଯଦି ନିର୍ବାଚନ ବୈତରଣୀ ପାର ହେବା ପାଇଁ ସରକାର ଏମିତି କରୁଥିବେ, ତାହା ସମାଲୋଚନାର ପ୍ରସଙ୍ଗ । ଓଡିଆ ଭାଷାର ଭବିଷ୍ୟତ ପାଇଁ ଟିକେ ଆନ୍ତରିକତାର ସହ ଉଦ୍ୟମ ନ ହେଲେ ଆମେ କେବଳ ଶାସ୍ତ୍ରୀୟ ଭାଷାର ମାନ୍ୟତାକୁ ନେଇ ଗର୍ବ କରିବା ଛଡା ଆମ ପାଖେ ଆଉ କିଛି ନ ଥିବ । (ଆଲେଖ୍ୟ – ଅପୂର୍ବ କୁମାର ମହାନ୍ତି, 8847876626)

LEAVE A REPLY

Please enter your comment!
Please enter your name here