ଡେମୋକ୍ରାଟିକ ପ୍ରାର୍ଥୀ ଜୋ ବାଇଡେନ ରେକର୍ଡ ସଂଖ୍ୟକ ଭୋଟ ପାଇ ଆମେରିକା ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । ମ୍ୟାଜିକ ନମ୍ବର ୨୭୦ ଇଲେକ୍ଟୋରାଲ ଭୋଟ ସହ ବାଇଡେନ ବିଜୟୀ ହୋଇଛନ୍ତି । ଅନ୍ୟପଟେ ଡୋନାଲ୍ଡ ଟ୍ରମ୍ପଙ୍କୁ ୨୧୪ ଇଲେକ୍ଟୋରାଲ ଭୋଟ ମିଳିଛି । ଏବେବି ୪ଟି ରାଜ୍ୟରେ ଭୋଟ ଗଣତି ଜାରି ରହିଛି । ନୋଭାଡାରେ ବିଜୟ ସହ ବାଇଡେନ ୨୯୦ଟି ଇଲେକ୍ଟୋରାଲ ଭୋଟ୍ ପାଇଛନ୍ତି । ଅନ୍ୟପଟେ ଜର୍ଜିଆରେ ବାଇଡେନ ୭୦୦୦ ଭୋଟରେ ଆଗୁଆ ଅଛନ୍ତି । ତେଣୁ ସେଠାରେ ଯଦି ବାଇଡେନ ବିଜୟ ହୁଅନ୍ତି ତେବେ ରେକର୍ଡ ୩୦୬ ଇଲେକ୍ଟୋରାଲ ଭୋଟ ପାଇବେ । ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍ ୫୦ ଦଶମିକ ୬୪ ପ୍ରତିଶତ ଭୋଟ ପାଇଥିବାବେଳେ ଟ୍ରମ୍ପ ୪୭ ଦଶମିକ ୬୯ ପ୍ରତିଶତ ଭୋଟ୍ ପାଇଛନ୍ତି । ସେପଟେ ନିଜ ପରାଜୟକୁ ଗ୍ରହଣ କରିନାହାଁନ୍ତି ଡୋନାଲ୍ଡ ଟ୍ରମ୍ପ ।
ରାଷ୍ଟ୍ରପତି ନିର୍ବାଚନରେ ​​ବିଜୟ ହେବା ପରେ ନିଜର ପ୍ରଥମ ଅଭିଭାଷଣ ରଖିଛନ୍ତି ଜୋ ବାଇଡେନ୍‌ । ସେ ନିଜ ବିଜୟକୁ ଐତିହାସିକ ବୋଲି ସମ୍ବାେଧନ କରିଛନ୍ତି । ଏହା ସହ ସେ କହିଛନ୍ତି, ଆମେରିକାର ରାଷ୍ଟ୍ରପତି ନିର୍ବାଚିତ ହେବା ପରେ ସେ ନିଜକୁ ଗର୍ବିତ ଅନୁଭବ କରୁଛନ୍ତି । ଆମେରିକା ତାଙ୍କୁ ନତୃତ୍ୱ ଭାବେ ବାଛିଥିବାରୁ ଏବଂ ତାଙ୍କ ଉପରେ ବିଶ୍ୱାସ ରଖିଥିବାରୁ ସମସ୍ତଙ୍କ ନିକଟରେ କୃତଜ୍ଞ । ସଂଯୁକ୍ତ ଆମେରିକାକୁ ବାଂଟିବା ନୁହେଁ ଯୋଡିବା ହେବ ତାଙ୍କ ପ୍ରାଥମ ଲକ୍ଷ୍ୟ । ସେ ଆହୁରି କହିଛନ୍ତି ‘ମୁଁ ଆମେରିକାର ରାଷ୍ଟ୍ରପତି, ମୋ ପାଇଁ ସମସ୍ତେ ସମାନ । ଯେଉଁମାନେ ମତେ ଭୋଟ ଦେଇନାହାନ୍ତି ସେମାନଙ୍କ ପାଇଁ ମଧ୍ୟ ମୁଁ ରାଷ୍ଟ୍ରପତି । ସେମାନଙ୍କ ଦାୟିତ୍ୱ ମଧ୍ୟ ମୋର ।
ଆମେରିକାବାସୀ ମୋ ଉପରେ ବିଶ୍ୱାସ ପ୍ରକଟ କରିଛନ୍ତି । ମୁଁ ସେମାନଙ୍କ ବିଶ୍ୱାସକୁ କେବେ ବି ଆଘାତ ଦେବି ନାହିଁ । ଆମ ପାଖରେ ଏକ ସୁନ୍ଦର ଭବିଷ୍ୟତ ନିର୍ମାଣ କରିବାର ଶକ୍ତି ରହିଛି । ଦେଶକୁ ଆମେ ଆଗକୁ ନେଇ ପାରିବା । ଏଥିପାଇଁ ଦେଶକୁ ଏକଜୁଟ୍‌ ହୋଇ ଆଗକୁ ବଢିବାକୁ ହେବ । ରାଷ୍ଟ୍ରପତି ଭାବେ ଦେଶକୁ ସେ ବ୍ଲୁ-ଏବଂ ରେଡ୍‌ ଷ୍ଟେଟ୍‌ ଭାବେ ଦେଖିବେ ନାହିଁ ବରଂ ସମ୍ପୂର୍ଣ୍ଣ ଆମେରିକାକୁ ସେ ସମାନ ନଜରରେ ଦେଖିବେ ।

LEAVE A REPLY

Please enter your comment!
Please enter your name here