କନ୍ଧମାଳରେ ଲଜ୍ଜାଜନକ ଘଟଣା । ଆଶ୍ରମ ସ୍କୁଲ ହଷ୍ଟେଲ ପରିସରରେ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି ଅଷ୍ଟମ ଶ୍ରେଣୀ ଛାତ୍ରୀ । ଦାରିଙ୍ଗିବାଡ଼ି ଆବାସିକ ସରକାରୀ ଉଚ୍ଚ ବିଦ୍ୟାଳୟରେ ଏମିତି ଏକ ଖବର ସମସ୍ତଙ୍କୁ ଚକିତ କରିଦେଇଛି । ହଷ୍ଟେଲରେ ରହୁଥିବା ଅଷ୍ଟମ ଶ୍ରେଣୀର ଛାତ୍ରୀ  ଏକ ଶିଶୁ ଜନ୍ମ କରିବା ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ଉତ୍ତ୍ୟକ୍ତ ଲୋକ ବିଦ୍ୟାଳୟ ଘେରାଉ କରିବା ସହ ପ୍ରଧାନଶିକ୍ଷୟିତ୍ରୀଙ୍କୁ ଅଟକ ରଖିଛନ୍ତି । ଜାତୀୟ ରାଜପଥରେ ଟାୟାର ଜାଳି ରାସ୍ତା ଅବରୋଧ ବି କରାଯାଇଛି ।  ଶିଶୁ ପ୍ରସବ କରିଥିବା ଛାତ୍ରୀଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବାଲିଗୁଡ଼ା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

    ଘଟଣାରେ ଆଦିବାସୀ କଲ୍ୟାଣ ମନ୍ତ୍ରୀ ରମେଶ ମାଝୀ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ତଦନ୍ତ କରି ତୁରନ୍ତ ରିପୋର୍ଟ ପ୍ରଦାନ କରିବାକୁ ଜିଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହି ମାମଲାରେ ପୋଲିସ ଶ୍ରବଣ କୁମାର ପ୍ରଧାନ ନାମକ ଜଣେ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି । ବାଲିଗୁଡା ଏସଡିପିଓ ନୀତିନ କୁଶଲକର ଘଟଣାସ୍ଥଳରେ ପହଞ୍ଚି ଏହାର ତଦନ୍ତ ଦାୟିତ୍ୱ ନେବା ସହ ବିକ୍ଷୋଭକାରୀଙ୍କୁ ବୁଝାସୁଝା କରିଛନ୍ତି । ସୂଚନାଯୋଗ୍ୟ, ଏକ ଆବାସିକ ସ୍କୁଲରେ ପଢୁଥିବା ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ରବିବାର ଭୋରରୁ ଏକ ଶିଶୁକନ୍ୟା ଜନ୍ମଦେବା ପରେ ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା । ଉତ୍ତ୍ୟକ୍ତ ଲୋକେ ସ୍କୁଲର ପ୍ରଧାନଶିକ୍ଷୟିତ୍ରୀଙ୍କ ଘର ଆଗରେ ବିକ୍ଷୋଭ କରିଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଉଦ୍ଧାର କରି ଥାନାକୁ ନେଇଥିବା ବାଲିଗୁଡା ଥାନା ଆଇଆଇସି ଅଲେଖ ଗରଡ଼ିଆ କହିଛନ୍ତି ।

LEAVE A REPLY

Please enter your comment!
Please enter your name here