ମାନବିକତା ଦୃଷ୍ଟିରୁ ଗାଜା ଉପରେ ଆକ୍ରମଣରୁ ଇସ୍ରାଏଲ ବିରତ ରହିବା ପ୍ରସଙ୍ଗରେ ଜାତିସଂଘସାଧାରଣ ପରିଷଦର ସ୍ବତନ୍ତ୍ର ଜରୁରୀ କାଳୀନ ଅଧିବେସନରେ ଭାରତ ଭୋଟ ଦାନରୁ ବିରତ ରହିଛି । ଏହି ଅଧିବେସନରେ ଆସିଥିବା ମାନବିକତା ଦୃଷ୍ଟିରୁ ଯୁଦ୍ଧ ବିରତି ଚିଠା ପ୍ରସ୍ତାବ ଜୋର୍ଡାନ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ବେଳେ ପାକିସ୍ତାନ, ବାଂଲାଦେଶ, ମାଲଦୀପ, ଋଷିଆ, ଦକ୍ଷିଣ ଆଫ୍ରିକା ଭଳି 40ଟି ଦେଶ ଏହାର ସହ ପ୍ରସ୍ତାବକ ଥିଲେ । ମାତ୍ର ଚିଠା ପ୍ରସ୍ତାବରେ ଇସ୍ରାଏଲ ଉପରେ ଗତ ଅକ୍ଟୋବର 7 ତାରିଖରେ ହମାସ କରିଥିବା ଅତର୍କିତ ଆକ୍ରମଣ ସଂପର୍କରେ ଉଲ୍ଲେଖ ନ ଥିବାରୁ ଭାରତ ଭୋଟଦାନରୁ ବିରତ ରହିଛି । ଜାତିସଂଘର ସ୍ବତନ୍ତ୍ର ଅଧିବେସନରେ ଜୋର୍ଡାନ ସମେତ 40ଟି ଦେଶ ପକ୍ଷରୁ ଉପସ୍ଥାପିତ ପ୍ରସ୍ତାବ ଉପରେ ଭୋଟଦାନ ପୂର୍ବରୁ କାନାଡ ଓ ଆମେରିକା ସଂଶୋଧନ ପ୍ରସ୍ତାବ ଦେଇଥିଲେ । ସଂଶୋଧନ ପ୍ରସ୍ତାବରେ ପ୍ରଥମେ ଇସ୍ରାଏଲ ଉପରେ ହମାସ ଆକ୍ରମଣ ଏବଂ 1400 ଲୋକଙ୍କ ପ୍ରାଣହାନୀ ସଂପର୍କରେ ଉଲ୍ଲେଖ ରହିଥିଲା । ସଂଶୋଧନ ପ୍ରସ୍ତାବ ସପକ୍ଷରେ ଭାରତ ସମେତ 87ଟି ଦେଶ ଭୋଟ ଦେଇଥିବା ବେଳେ 55ଟି ଦେଶ ବିପକ୍ଷରେ ଭୋଟ ଦେଇଥିଲେ । 23ଟି ଦେଶ ଅନୁପସ୍ଥିତ ରହିଥିଲେ । ତେବେ ସଂଶୋଧନ ପ୍ରସ୍ତାବ ସପକ୍ଷରେ ଦୁଇତୃତୀୟାଂଶ ଭୋଟ ନ ମିଳିବାରୁ ଜାତିସଂଘ ସାଧାରଣ ପରିଷଦରେ ଏହା ଅଗ୍ରାହ୍ୟ ହୋଇଯାଇଥିଲା । ପରେ ଜୋର୍ଡାନ ପକ୍ଷରୁ ଆଗତ ନାଗରିକଙ୍କ ସୁରକ୍ଷା ଓ ମାନବିକତା ପ୍ରସଙ୍ଗରେ ଆଗତ ପ୍ରସ୍ତାବ ସପକ୍ଷରେ 120ଟି ଦେଶ ଭୋଟ ଦେଇଥିବା ବେଳେ 14ଟି ଦେଶ ବିପକ୍ଷରେ ଏବଂ 45ଟି ଦେଶ ଅନୁପସ୍ଥିତ ରହିଥିଲେ । ଅନୁପସ୍ଥିତ ଥିବା ଦେଶଗୁଡିକ ମଧ୍ୟରେ ଭାରତ ସମେତ କାନାଜା, ଜାପାନ, ଅଷ୍ଟ୍ରେଲିୟା, ୟୁକ୍ରେନ ପ୍ରମୁଖ ଥିଲେ ।

LEAVE A REPLY

Please enter your comment!
Please enter your name here