ଲୋକଙ୍କ ଜୀବନ ସହ ଖେଳ । ମାସେ କି ବର୍ଷେ ନୁହେଁ ଗତ ୧୨ ବର୍ଷ ଧରି ଚାଲିଛି କ୍ଲିନିକ । ଆଉ ଚିକିତ୍ସା କରୁଛନ୍ତି ନକଲି ଡାକ୍ତର । ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ ପାସ୍ , ହେଲେ ସେ ଡାକ୍ତର । ବାବୁ କୁଆଡେ ପଶ୍ଚିମବଙ୍ଗର ଏକ ମେଡିକାଲରେ ଡାକ୍ତରଙ୍କ ପାଖରେ ରହି କାମ ଶିଖୁଥିଲେ । ନକଲି ଡାକ୍ତରଙ୍କୁ ଆଉ ଥରେ ଦେଖନ୍ତୁ ଏବେ ସେ କଣ କହୁଛନ୍ତି ଶୁଣନ୍ତୁ ।
ଏମିତି ସେମିତି ନୁହେଁ ନକଲି ଡାକ୍ତର କରୁଛନ୍ତି ଦନ୍ତ ଚିକିତ୍ସା । ନାଁ ଶ୍ରୀପତି ମଣ୍ଡଳ । ହେଲେ କାରନାମ ଏମିତି ହୋସ ଉଡିଯିବ । ଏ ବାବୁ ନକଲି ସାର୍ଟିିଫିକେଟ ଦେଇ ଦୀର୍ଘ ୧୨ ବର୍ଷରୁ ଉର୍ଦ୍ଧ ସମୟ ଧରି ରୋଗୀ ଦେଖି ମୋଟା ଅଙ୍କରେ ଅର୍ଥ ଆଦାୟ କରିବାରେ ବ୍ୟସ୍ତ । ଏହା କୌଣସି ଆଦିବାସୀ ଅଧୁସିତ ଅଞ୍‌ଚଳ ନୁହେଁ ବରଂ ଶିକ୍ଷା ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅଗ୍ରଣୀ ଜିଲ୍ଲା ଭାବେ ପରିଚିତ ବାଲେଶ୍ୱର ଜିଲ୍ଲାର ଦୃଶ୍ୟ । ଦେଖୁନାହାଁନ୍ତି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ କ୍ଲିନିକ୍ ଆଗରେ ଅପେକ୍ଷା କରିଛନ୍ତି ଚିକିତ୍ସା ପାଇଁ । ବାବୁ ପେସ୍କ୍ରିପସନ ଲେଖନ୍ତି, ଆଉ ଔଷଧ ବି ଦିଅନ୍ତି ।
ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଗୋପାଳପୁର ବଜାରରେ ଦୀର୍ଘ ୧୨ ବର୍ଷରୁ ଉର୍ଦ୍ଧ ସମୟ ଧରି ଦନ୍ତ ଚିକିତ୍ସାଳୟ ନାମରେ ଏକ କ୍ଲିନିକ୍ ଖୋଲି ରୋଗୀ ଦେଖୁଛନ୍ତି ରେମୁଣା ବ୍ଲକ ତାଳପଦା ପାହି ଅଞ୍ଚଳର ଶ୍ରୀପତି ମଣ୍ଡଳ । ବାବୁ ପଶ୍ଚିମବଙ୍ଗରୁ ଓଡିଶା ଆସି ନିଜକୁ ଜଣେ ଡାକ୍ତରର ପରିଚୟ ଦେଇ ଆରମ୍ଭ କରିଦେଇଛନ୍ତି ଚିକିତ୍ସା । ନା ଅଛି ରେଜିଷ୍ଟ୍ରେସନ ନା ଅଛି ଶିକ୍ଷାଗତ ଯୋଗ୍ୟତା । ଆଶ୍ଚର୍ଯ୍ୟ ଲାଗୁଛି ବର୍ଷ ବର୍ଷ ଧରି ଲୋକଙ୍କୁ ଔଷଧ ଦେଇ ଲୋକଙ୍କ ଠାରୁ ଲୁଟୁଥିବା ନକଲି ଡାକ୍ତରଙ୍କ ଟେର କେମିତି ପାଉନି ପ୍ରଶାସନ । ନା ସବୁ ଜାଣିଶୁଣି ପ୍ରଶାସନ ଚୁପ୍ । ନକଲି ଡାକ୍ତରଙ୍କୁ ସୁରକ୍ଷା ଦେଉଛନ୍ତି କି ବାଲେଶ୍ୱର ସିଡିଏମଓ? ତାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

LEAVE A REPLY

Please enter your comment!
Please enter your name here