ସାରା ବିଶ୍ୱ କୋଭିଡ ୧୯ରେ ଆକ୍ରାନ୍ତ ହୋଇଥିବା ବେଳେ ଅର୍ଥନୀତି ଓ ଶିଳ୍ପଦ୍ୟୋଗକୁ ଏହା ଭୟଙ୍କର ଭାବେ ପ୍ରଭାବିତ କରିବାକୁ ଯାଉଛି । ଏଥିରୁ ମୁକୁଳିବା ପାଇଁ ଅର୍ଥନୀତି ଓ ଶିଳ୍ପ ବିଶାରଦମାନେ ଭିନ୍ନ ଭିନ୍ନ ପନ୍ଥା ଖୋଜିବା ଆରମ୍ଭ କରିଛନ୍ତି । ନାଲକୋର ପୂର୍ବତନ ଅଧ୍ୟକ୍ଷ ତଥା ବିଶିଷ୍ଟ ଶିଳ୍ପ ବିଶାରଦ ଡକ୍ଟର ତପନ କୁମାର ଚାନ୍ଦ କହିଛନ୍ତି, ଯଦିଓ ବୃହତ ଶିଳ୍ପ ଓ ଖଣି ଭିତ୍ତିକ ସଂସ୍ଥାଗୁଡିକ ଏଭଳି ସଂକଟକୁ ସାମନା କରିବା ପାଇଁ ସମର୍ଥ, କିନ୍ତୁ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପଗୁଡିକ ଏହାଦ୍ୱାରା ଭୟଙ୍କର ଭାବେ କ୍ଷତିଗ୍ରସ୍ତ ହେବେ । ଏମଏସଏମଇ ବର୍ଗରେ ୯୦ ପ୍ରତିଶତ ହେଉଛନ୍ତି ଅଣୁ ଉଦ୍ୟୋଗ ଏବଂ ଲକ୍ ଡାଉନ ଯୋଗୁ ଏହି ବର୍ଗର ସଂସ୍ଥାଗୁଡିକ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବାରୁ ଏଗୁଡିକର ପୁନରୁଦ୍ଧାର ପାଇଁ ସହାୟତାର ଆବଶ୍ୟକ ରହିଛି । ଡକ୍ଟର ଚାନ୍ଦଙ୍କ ମତରେ ଏମଏସଏମଇ ଉଦ୍ୟୋଗଗୁଡିକୁ ସୁଧମୁକ୍ତ ସହାୟତା ଦିଆଯିବା ଆବଶ୍ୟକ । ଏହାଦ୍ୱାରା ସେମାନେ ଲକ୍‌ଆଉଟ ସମୟରେ ଏବଂ ଲକ୍ ଆଉଟ ପରବର୍ତ୍ତୀ ୬ ମାସ ପର୍ଯ୍ୟନ୍ତ କର୍ମଚାରୀଙ୍କୁ କିସ୍ତି ଆକାରରେ ବେତନ ଦେଇପାରିବେ । ଏହାହେଲେ ଶ୍ରମିକ କର୍ମଚାରୀମାନେ ପୁଣି ଥରେ କାରଖାନାକୁ ଫେରିପାରିବେ ଏବଂ ସେମାନେ ପୁଣି ବଜାରରେ ମୁଣ୍ଡ ଟେକି ଛିଡା ହେବାକୁ ସକ୍ଷମ ହେବେ । ମାତ୍ର ପର୍ଯ୍ୟଟନ ଓ ମନୋରଂଜନ ଭଳି ସେବା କ୍ଷେତ୍ରରେ ସ୍ଥିତି ସୁଧାରିବାକୁ କିଛି ସମୟ ଲାଗିବ ବୋଲି ଡକ୍ଟର ଚାନ୍ଦ କହିଛନ୍ତି । ସେହିଭଳି ଜିଡିପିକୁ ୧୭ ପ୍ରତିଶତ ଦେଉଥିବା କୃଷିକ୍ଷେତ୍ର କୋଭିଡ ଦ୍ୱାରା ବିଶେଷ ପ୍ରଭାବିତ ହେବ ନାହିଁ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here