ହେଲସିଙ୍କି(ଏଜେନ୍ସି): ବିଶ୍ୱର ଦୁଇ ଚିରାଚରିତ ପ୍ରତିଦ୍ୱନ୍ଦ୍ୱୀ ରାଷ୍ଟ୍ର ଆମେରିକା ଓ ଋଷ୍ ଯଦି ବନ୍ଧୁତା ଆଡକୁ ଗତି କରନ୍ତି ତେବେ ଏହା ବିଶ୍ୱବାସୀଙ୍କ ପାଇଁ ଏକ ଆଶ୍ୱସ୍ତର ବିଷୟ ହେବ । ତେବେ ଏଦିଗରେ ଏକ ଆଶାର କିରଣ ଦେଖାଦେଇଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏବଂ ଋଷ୍ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ଙ୍କ ମଧ୍ୟରେ ଇତିମଧ୍ୟରେ ହୋଇଥିବା ଆଲୋଚନା ବୈଠକ ସଫଳ ହୋଇଥିବାରୁ ଦୁଇ ଦେଶ ମଧ୍ୟରେ ଶତ୍ରୁତା ମନୋଭାବ ବିଲୋପ ହୋଇ ଏକ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ସୃଷ୍ଟି ହେବ ବୋଲି ଆଶା କରାଯାଉଛି ।
ବିଶ୍ୱର କିଏ ସର୍ବାଧିକ କ୍ଷମତାଶାଳୀ ରାଷ୍ଟ୍ର? ଏହାକୁ ନେଇ ଋଷ୍ ଓ ଆମେରିକା ମଧ୍ୟରେ ବର୍ଷ ବର୍ଷ ଧରି ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ଏବଂ ଶତ୍ରୁତା ଦେଖିବାକୁ ମିଳିଆସୁଥିବା ବେଳେ ଟ୍ରମ୍ପ୍-ପୁତିନ୍ଙ୍କ ସାକ୍ଷାତକାର ଦୁଇ ଦେଶର ତିକ୍ତତାପୂର୍ଣ୍ଣ ସମ୍ପର୍କକୁ ସୁଧାରିବାରେ ସାହାଯ୍ୟ କରିବ ବୋଲି ଅନୁମାନ କରାଯାଉଛି । ପ୍ରାରମ୍ଭିକ ଆଲୋଚନା ପରେ ଉଭୟ ଟ୍ରମ୍ପ୍ ଓ ପୁତିନ୍ ନିଜ ନିଜ ଦେଶର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଆଗାମୀ ଦିନରେ ଉଭୟ ଦେଶ ମଧ୍ୟରେ ଉତ୍ତମ ସଂପର୍କ ସ୍ଥାପନ ହେବ । ଟ୍ରମ୍ପ କହିଛନ୍ତି ଯେ, ବିଗତ ଦିନରେ ଉଭୟ ଦେଶ ମଧ୍ୟରେ ସମ୍ପର୍କ ସେତେଟା ଭଲ ରହିନାହିଁ, କିନ୍ତୁ ସମଗ୍ର ବିଶ୍ୱର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏବେ ଦୁଇ ରାଷ୍ଟ୍ର ମଧ୍ୟରେ ସୁସମ୍ପର୍କ ରକ୍ଷା କରାଯିବ । ସେହିପରି ପୁତିନ୍ କହିଛନ୍ତି ଯେ ଟ୍ରମ୍ପ୍ଙ୍କ ସହ ସେ ନିୟମିତ ସମ୍ପର୍କ ରକ୍ଷା କରିଆସୁଛନ୍ତି । ଏହାର ସୁଫଳ ମିଳିବ ବୋଲି ଆଶା କରାଯାଉଛି । ତାଙ୍କ କହିବାନୁସାରେ ଏବେ ବିଶ୍ୱର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିବାର ସମୟ ଆସିଯାଇଥିବାରୁ ସମସ୍ତ ରାଷ୍ଟ୍ର ପ୍ରତିପକ୍ଷ ରାଷ୍ଟ୍ରଙ୍କ ସହ ସୁସମ୍ପର୍କ ସ୍ଥାପନ କରିବା ଉପରେ ଚିନ୍ତା କରିବା ଉଚିତ୍ । ସୂଚନାଥାଉ କି, ଦିନକପୂର୍ବେ ଟ୍ରମ୍ପ ଆମେରିକା ନିର୍ବାଚନରେ ଋଷ୍ର ହସ୍ତକ୍ଷେପକୁ ଅସ୍ୱୀକାର କରିବା ସହ ଏଥିପାଇଁ ଆମରିକା ଅଧିକାରୀମାନେ ହିଁ ଦାୟୀ ବୋଲି କହିଥିଲେ । ବିଶେଷକରି ଋଷ୍ ସହ ଆମେରିକାର ସମ୍ପର୍କ ଖରପ ହେବା ପାଇଁ ଆମେରିକାର ପୂର୍ବ ନେତୃତ୍ୱକୁ ସେ ଦାୟୀ କରିଥିଲେ । ନିକଟରେ ଦକ୍ଷିଣକୋରିଆ-ଉତ୍ତରକୋରିଆ-ଆମେରିକା ଭଳି ରାଷ୍ଟ୍ରଙ୍କ ମଧ୍ୟରେ ସଦ୍ଭାବ ସୃଷ୍ଟି ହୋଇଥିବାରୁ ଏବେ ଋଷ୍ ମଧ୍ୟ ଏହି ରାସ୍ତାରେ ଯାତ୍ରୀ ହେବାକୁ ମନ ବଳାଇଛି । ଫଳରେ ନିଜ ପରମଶତ୍ରୁ ରାଷ୍ଟ୍ର ଆମେରିକା ଆଡକୁ ଋଷ ବନ୍ଧୁତାର ହାତ ବଢ଼ାଇଛି ।

LEAVE A REPLY

Please enter your comment!
Please enter your name here