ଏଣିକି ବାପା ମାଙ୍କୁ ହତାଦର କଲେ ମିଳିବ ଦଣ୍ଡ । ଏପରିକି ଜେଲ ମଧ୍ୟ ହୋଇପାରେ । ସେ ପୁଅ ହୁଅନ୍ତୁ କିମ୍ବା ଝିଅ ସମସ୍ତଙ୍କୁ ମିଳିବ ଦଣ୍ଡ । ବାପା-ମା’ଙ୍କ ସୁରକ୍ଷା ପାଇଁ ଏଭଳି ଆଇନ ଆଣିବାକୁ ଯାଉଛନ୍ତି ବିହାର ସରକାର । ନୀତିଶ କୁମାରଙ୍କ କ୍ୟାବିନେଟ୍‌ରେ ବାପା ମାଙ୍କ ସାମାଜିକ ସୁରକ୍ଷା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍‌ ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ବୃଦ୍ଧ ବାପା ମାଙ୍କର ଠିକ୍ ଭାବେ ଯତ୍ନ ନନେଲେ , ଅବହେଳା କଲେ କି ଠିକ୍ ଭାବେ ଭରଣ ପୋଷଣ ନକଲେ ସନ୍ତାନଙ୍କୁ ଜେଲ ଦଣ୍ଡ ଦିଆଯିବ ବୋଲି ଏଥିରେ ପ୍ରସ୍ତାବ ହୋଇଛି । ଏହି ଆଇନ ଆସିବା ପରେ ଯେଉଁ ପୁଅ ଝିଅଙ୍କ ବିରୋଧରେ ବାପା-ମା’ ଅଭିଯୋଗ କରିବେ ତାଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ । ନୀତିଶ କହିଛନ୍ତି ଯେ ବଦଳୁଥିବା ସାମାଜିକ ପରିବେଶରେ ନିଜ ପିଲାଙ୍କୁ ସଂସ୍କାର ଦେଉଥିବା ମାତା ପିତାଙ୍କ ପାଇଁ ସାମାଜିକ ସହିତ ଆଇନ ସୁରକ୍ଷା ଦେବା ସରକାରଙ୍କ କର୍ତ୍ତବ୍ୟ । ଏଭଳି ଆଇନ ଆଣିବାରେ ସମଗ୍ର ଦେଶରେ ବିହାର ପ୍ରଥମ ରାଜ୍ୟ ହେବ ।

LEAVE A REPLY

Please enter your comment!
Please enter your name here