ଭଲଭାବରେ ଦେଖନ୍ତୁ ଏ ଦୃଶ୍ୟକୁ । ବାଇକରେ ଜଣେ ବୃଦ୍ଧ ବ୍ୟକ୍ତିଙ୍କୁ କେମିତି ନେଉଛନ୍ତି ଏମାନେ । ବ୍ୟକ୍ତିଙ୍କ ମୁହଁ ତଳକୁ ଓହଳି ରହିଛି । ରାସ୍ତାରେ ଦୁଇ ପାଦ ଘୋଷାଡି ହେଉଛି । ହାତ ଦିଟା ବାଇକର ସାଇଲେନ୍ସରରେ ଲାଗିଛି । କୌଣସି ପଶୁକୁ ବାନ୍ଧିକି ନେବା ଭଳି ଯୁବକମାନେ ଏ ବୟସ୍କ ବ୍ୟକ୍ତିଙ୍କୁ ନେଉଛନ୍ତି । ମଣିଷ ପ୍ରତି ମଣିଷର ଟିକେ ବି ଦରଦ ନାହିଁ । ଏ ଦୃଶ୍ୟ ବୟାନ କରୁଛି, କେତେ ନୃଶଂସ ହୋଇପାରେ ମଣିଷ ।
ଏ ଦୃଶ୍ୟ ହେଉଛି, ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ କୁଣ୍ଡିପଦର ଗାଁର । ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଶୁଣ୍ଢିପଦର ଗାଁର 60 ବର୍ଷ ବୃଦ୍ଧ ଜଗନ୍ନାଥ ଦାସଙ୍କୁ ଛ ଜଣ ଯୁବକ ଗୋଡେଇ ଗୋଡେଇ ପିଟିବା ପରେ ଦରମରା କରିଦେଇଥିଲେ । ସ୍ଥାନୀୟ ଲୋକେ ବୃଦ୍ଧଙ୍କୁ ସେମାନଙ୍କ କବଳରୁ ଉଦ୍ଧାର କରିଥିଲେ । କିନ୍ତୁ ମାଡମାରିଥିବା ଦୁଇଜଣ ଲୋକ ଆହତ ବୃଦ୍ଧଙ୍କୁ ଡାକ୍ତରଖାନା ନେବେ ବୋଲି କହି ବାଇକରେ ଏମିତି ଭାବେ ନେଇଯାଇଥିଲେ । ଆଉ କିଛି ବାଟ ଯିବା ପରେ ନାଳ ତଳେ ଫୋପାଡି ଦେଇ ଚାଲିଯାଇଥିଲେ । ବୁଧବାର ସଂଧ୍ୟାରେ ଖବର ପାଇ ପୋଲିସ ପୋଲତଳୁ ଗୁରୁତର ବୃଦ୍ଧଙ୍କୁ ଉଦ୍ଧାର କରି ହସପିଟାଲରେ ଭର୍ତ୍ତି କରିଥିଲେ । ତାଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ବୁର୍ଲା ହସପିଟାଲକୁ ସ୍ଥାନାନ୍ତର କରାଯାଇଛି । ଏହି ଘଟଣାରେ ସମସ୍ତ ଅଭିଯୁକ୍ତ ଫେରାର ଥିବା ଜଣାପଡିଛି ।
(ରିପୋର୍ଟ : ରାଜେଶ ଠେଲା, ବୌଦ୍ଧ )

LEAVE A REPLY

Please enter your comment!
Please enter your name here