ବିଶିଷ୍ଟ ସଂସ୍କୃତି ଗବେଷକ ତଥା ସାହିତ୍ୟିକ ଡକ୍ଟର ଅସିତ ମହାନ୍ତିଙ୍କୁ ଚଳିତ ବର୍ଷର ଗଣେଶ ପରିଜା ସମ୍ମାନ ପ୍ରଦାନ କରାଯାଇଛି । ଶାରଳା ସ୍ମାରକ ପକ୍ଷରୁ ଗୀତଗୋବିନ୍ଦ ଭବନରେ ଆୟୋଜିତ ଗଣେଶ ପରିଜା ସ୍ମୃତି ସଂଧ୍ୟାରେ ମୁଖ୍ୟ ଅତିଥି ପଦ୍ମଶ୍ରୀ ଡକ୍ଟର ଦେବୀ ପ୍ରସନ୍ନ ପଟ୍ଟନାୟକ ଏହି ସମ୍ମାନ ପ୍ରଦାନ କରିଛନ୍ତି । ଶାରଳା ସ୍ମାରକ ସଭାପତି ଡକ୍ଟର ନିମାଇ ପରିଜାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଗଣେଶ ପରିଜା ସ୍ମୃତି ସଂଧ୍ୟାରେ ପ୍ରଫେସର ଡକ୍ଟର ସଂଘମିତ୍ରା ମିଶ୍ର ସଂସ୍କୃତି ଓ ସଂପୃକ୍ତି ପ୍ରସଙ୍ଗରେ ସ୍ମାରକୀ ବକ୍ତୃତା ପ୍ରଦାନ କରିଥିଲେ । ଉତ୍କଳୀୟ ସଂସ୍କୃତିର ମୌଳିକତା ସଂପର୍କରେ ଆଲୋକପାତ କରିବା ସହ ଆଧୁନିକତା ସଂସ୍ପର୍ଶରେ ସଂସ୍କୃତିର କିପରି ଅବକ୍ଷୟ ହେଉଛି, ସେସଂପର୍କରେ ବକ୍ତବ୍ୟ ଦେଇଥିଲେ । ମୁଖ୍ୟ ଅତିଥି ପଦ୍ମଶ୍ରୀ ଡକ୍ଟର ଦେବୀ ପ୍ରସନ୍ନ ପଟ୍ଟନାୟକ ଗଣେଶ ପରିଜାଙ୍କ ସ୍ମୃତି ଚାରଣ କରିବା ସହ ଜଗନ୍ନାଥ ସଂସ୍କୃତି,ଧର୍ମ ଓ ତନ୍ତ୍ର ଗବେଷଣାରେ ସ୍ବର୍ଗତଃ ପରିଜାଙ୍କ ଉଲ୍ଲେଖନୀୟ ଅବଦାନ ରହିଥିଲା ବୋଲି କହିଥିଲେ । ସ୍ତମ୍ଭକାର ଛନ୍ଦା ମିଶ୍ର ଗଣେଶ ପରିଜାଙ୍କ ରଚିତ ଏକ ଗଳ୍ପ ପାଠ କରିଥିଲେ । ଅନୁଷ୍ଠାନର ଆବାହକ ଡକ୍ଟର ଦେବାଶିଷ ମହାପାତ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଶତ୍ରୁଜିତ ସ୍ବାଗତ ସମ୍ଭାଷଣ ପ୍ରଦାନ କରିଥିଲେ । ଶେଷରେ ଅପୂର୍ବ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here