ଜୀବନର କାହାଣୀ ଏମିତି ବି ହୁଏ । ଯାହା ନିଜେ ନପରଖିଲେ ଜାଣି ପାରିବେନି । ଦିନ ଥିଲା ପୂର୍ବତନ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ସାରଥୀ ସାଜିଥିଲେ । ହେଲେ ଆଜି ବେଡରେ ପଡି ପଡି ଦିନ କଟୁଛି । ୫ପ୍ରାଣୀ କୁଟୁମ୍ବଙ୍କୁ ନେଇ ବେଶ୍ ହସଖୁସିରେ ଚଳୁଥିଲେ ଅମିୟ । ପିଲାଙ୍କୁ ନେଇ ଅନେକ ସ୍ୱପ୍ନ ଦେଖୁଥିଲେ । ହେଲେ ସବୁ ସ୍ୱପ୍ନ ତାଙ୍କର ଅଧାରେ ରହିଗଲା । ଉପାର୍ଜନ କରିବା ସମୟରେ ଶଯ୍ୟାଶାୟୀ ହୋଇପଡିଛନ୍ତି ଅମିୟ । ଏ ହେଉଛନ୍ତି ପୁରୀ ଗୋପ ବ୍ଲକ ଗିରିମା ଗାଁର ଅମିୟ ମହାନ୍ତି । ଦୀର୍ଘ ବର୍ଷ ଧରି ପୂର୍ବତନ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ଡ୍ରାଇଭର ଭାବେ କାମ କରୁଥିଲେ ସେ । ମାତ୍ର ଦୁଇବର୍ଷ ତଳେ ତାଙ୍କର ୟୁରିନ ଇନଫେକ୍ସନ ହେଲା, ତା ପରେ କିଡନୀ ରୋଗରେ ଆକ୍ରାନ୍ତ ହେଲେ । ପରେ ପରିସ୍ଥିତି ଏମିତି ହେଲା ଯେ, ସମ୍ପୂର୍ଣ୍ଣ ଶଯ୍ୟାଶାୟୀ ହୋଇଗଲେ ଅମିୟ । ଏ ଭିତରେ ଦୁଇ ବର୍ଷ ହୋଇଗଲାଣି । ଅମିୟଙ୍କ ଚିକିତ୍ସା ପାଇଁ ପରିବାର ଲୋକେ ଜମିବାଡି ବିକି ଧାର କରଜ କରିସାରିଲେଣି । ମାତ୍ର ଅମିୟଙ୍କ ସ୍ୱାସ୍ଥ୍ୟବସ୍ଥାରେ କୌଣସି ସୁଧାର ଆସିପାରୁନାହିଁ । ଅମିୟଙ୍କ ପାଇଁ ପୁରା ପରିବାର ଏବେ ଚିନ୍ତାରେ । ଘରେ ଅଶୀ ବର୍ଷର ବୁଢା ବାପା, ସ୍ତ୍ରୀ ଓ ଦୁଇ ପିଲା । ଅମିୟଙ୍କ ଚିକିତ୍ସାରେ ସବୁ ଖର୍ଚ୍ଚ କରିଦେବା ପରେ ଏବେ ଘରେ ଚଳିବାକୁ ଆଉ କିଛି ନାହିଁ । ପିଲାଙ୍କ ପାଠପଢାରେ ଡୋରୀ ବନ୍ଧା ହେଲାଣି । ସେପଟେ ଦୁଇ ବର୍ଷ ହେବ ସରକାରୀ ସହାୟତା ପାଇଁ ପରିବାର ଲୋକେ ବହୁ ପ୍ରଚେଷ୍ଟା କରିଥିଲେ ସୁଦ୍ଧା ଏପର୍ଯ୍ୟନ୍ତ କୌଣସି ସହାୟତା ମିଳିପାରୁନି । ଅମିୟଙ୍କ ଚିକିତ୍ସା ପାଇଁ ପୁରା ପରିବାର ଭାଙ୍ଗିପଡିଛନ୍ତି । କେବେ ମିଳିବ ସରକାରୀ ସାହାଯ୍ୟ, ଅପେକ୍ଷା କରି କରି ଆଖିରୁ ପାଣି ମରିଲାଣି । ପରିବାର ଲୋକଙ୍କ ଅଭିଯୋଗ, ଦୀର୍ଘବର୍ଷ ଧରି ଯାହା ପାଇଁ କାମ କରୁଥିଲେ, ସେ ବି ନିରାଶ କରିଛନ୍ତି

LEAVE A REPLY

Please enter your comment!
Please enter your name here