ଆସିକା କଂଗ୍ରେସ ବିଧାୟକ ର୍ପ୍ରାଥୀ ମନୋଜ ଜେନାଙ୍କ ହତ୍ୟା ଘଟଣାରେ ପୋଲିସକୁ ମିଳିଛି ବଡ ସଫଳତା । ଏହି ହାଇପ୍ରୋଫାଇଲ ହତ୍ୟା କାଣ୍ଡରେ ପୋଲିସ ଦୁଇ ଜଣଙ୍କୁ ଏନକାଉଣ୍ଟର କରି ଗିରଫ କରିଛି । ଗୋଳନ୍ଥରା ଥାନା ଅମିତ୍‌ ହସ୍ପିଟାଲ ନିକଟରେ ଶୁକ୍ରବାର ରାତି ସାଢ଼େ ୧୧ଟାରେ ପୋଲିସ ଦୁଇଜଣଙ୍କୁ ଏନ୍‌କାଉଣ୍ଟର କରିଛି । ସେମାନେ ହେଲେ ଆସିକାର ବୁଲୁ ଓରଫ ଗଣେଶ ନାୟକ (୨୫) ଓ ହୃଷିକେଶ ପାତ୍ର (୨୭)। ଉଭୟଙ୍କ ନାମରେ ୬ଟି ହତ୍ୟା ମାମଲା ରହିଛି । ତେବେ ଗତ ଗତ ୨୨ ତାରିଖ ରାତି ସାଢ଼େ ୯ଟା ବେଳେ ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୧୬ ଲାଞ୍ଜିପଲ୍ଲୀ ଇସ୍କନ ମନ୍ଦିର ସମ୍ମୁଖ ରାସ୍ତାରେ ଗୁଳିମାଡ଼ ଓ ତଣ୍ଟି କାଟି କଂଗ୍ରେସ ବିଧାୟକ ପ୍ରାର୍ଥୀ ମନୋଜ ଜେନାଙ୍କୁ ହତ୍ୟା କରାଯାଇଥିଲା । ଏହି ହତ୍ୟାକାଣ୍ଡ ପଛରେ ପୂର୍ବ ଶତ୍ରୁତା ଓ ମଦ ବ୍ୟବସାୟ ରହିଥିବା ପୋଲିସ ପ୍ରାଥମିକ ତଦନ୍ତକୁ ଆଧାର କରି ଅନୁମାନ କରୁଛି । ମନୋଜ ହତ୍ୟା ଘଟଣାରେ ୭ ଜଣଙ୍କ ନାଁରେ ଏତଲା ଦାୟର ହୋଇଥିବା ବେଳେ ପୋଲିସ ଦୁଇ ଜଣ ମୁଖ୍ୟ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଛି। ବୁଲୁ ପ୍ରଥମେ ମନୋଜଙ୍କ ଉପରକୁ ଗୁଳି ଫୁଟାଇବା ପରେ ସେ ଖସି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ହୃଷିକେଶ ମନୋଜଙ୍କୁ ଗୋଡ଼ାଇ କାବୁ କରି ଶେଷରେ ଧାରୁଆ ଅସ୍ତ୍ରରେ ତାଙ୍କ ତଣ୍ଟି କାଟି ଦେଇଥିଲେ ବୋଲି ଏସପି ମିଶ୍ର କହିଛନ୍ତି। ଉଭୟଙ୍କୁ ଜେରା କରିବା ପରେ ଅଧିକ ତଥ୍ୟ ମିଳିବ ବୋଲି ଏସ୍‌ପି କହିଛନ୍ତି।
ସୁଚନାଅନୁସାରେ, ଶୁକ୍ରବାର ରାତି ସାଢ଼େ ୧୧ଟା ବେଳେ ମନୋଜ ଜେନା ହତ୍ୟା ମାମଲାର ଅଭିଯୁକ୍ତମାନେ ଗୋଳନ୍ଥରା ଦେଇ ଆନ୍ଧ୍ରପ୍ରଦେଶକୁ ଫେରାର ହୋଇଯିବା ପାଇଁ ଉଦ୍ୟମ କରୁଥିଲେ। ଏହି ଖବର ପାଇ ଏସ୍‌ପିଙ୍କ ନିର୍ଦ୍ଦେଶରେ ଗୋଷାଣୀ ନୂଆଗାଁ ଥାନାଧିକାରୀ ସୁମିତ କୁମାର ସୋରେନ, ବୈଦ୍ୟନାଥପୁର ଥାନା ଏସ୍‌ଆଇ କୈଶିକ ମାଝି ଏକ ଟିମ୍‌ ନେଇ ଅପରାଧିଙ୍କ ପିଛା କରିଥିଲେ। ଅପରାଧିମାନେ ଗୋଳନ୍ଥରା ଥାନା ଅନ୍ତର୍ଗତ ଅମିତ ହସ୍ପିଟାଲ ଜାତୀୟ ରାଜପଥ ଦେଇ ଯାଉଥିବା ବେଳେ ପୋଲିସକୁ ଦେଖି ସେମାନଙ୍କ ଉପରକୁ ଗୁଳିମାଡ଼ କରିଥିଲେ । ଏହାର ଜବାବରେ ପୋଲିସ ପାଲଟା ଗୁଳି ଚଳାଇଥିଲା । ଫଳରେ ହୃଷିକେଶ ଓ ବୁଲୁଙ୍କ ଗୋଡ଼ରେ ଗୁଳି ବାଜିଥିଲା । ଉଭୟ ଆହତ ହୋଇ ବାଇକରୁ ଖସି ତଳେ ପଡ଼ି ଯାଇଥିଲେ।

LEAVE A REPLY

Please enter your comment!
Please enter your name here