ରେକର୍ଡ ଛୁଇଁଛି ପେଟ୍ରୋଲ ଦର । ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୮୫ ଟଙ୍କା ପାର୍ ହୋଇଛି । ଆଜି ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୨୫ ପଇସା ବଢି ୮୫ ଟଙ୍କାରେ ପହଁଞ୍ଚିଛି । ସେହିଭଳି ଡିଜେଲ ମୂଲ୍ୟ ୨୭ ପଇସା ବଢି ୮୧.୨୯ ଟଙ୍କାରେ ପହଁଞ୍ଚିଛି । ଏହି ସୂଚନା ଦେଇଛନ୍ତି ଉତ୍କଳ ପେଟ୍ରୋଲିୟମ ଡିଲର ସଂଘର ସାଧାରଣ ସମ୍ପାଦକ ସଞ୍ଜୟ ଲାଠ୍ । ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବଢିଥିବାରୁ ରାଷ୍ଟ୍ରାୟତ ତୈଳ କମ୍ପାନୀ ଗୁଡିକ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି କରିଛନ୍ତି ।
ଏହା ପୂର୍ବରୁ ଜାନୁଆରୀ ୬ ଓ ୭ ତାରିଖରେ ପେଟ୍ରୋଲ ଓ ଡିଜେଲ ଦରରେ ବୃଦ୍ଧି ଦେଖିବାକୁ ମିଳିଥିଲା। ଏହି ୨ ଦିନରେ ପେଟ୍ରୋଲ ଲିଟର ପିଛା ୪୯ ପଇସା ବଢ଼ି ଥିବାବେଳେ ଡିଜେଲ ଲିଟର ପିଛା ୫୧ ପଇସା ବୃଦ୍ଧି ପାଇଥିଲା। ତେବେ ଡିସେମ୍ବର ୬ ପୂର୍ବରୁ ପେଟ୍ରୋଲ ଓ ଡିଜେଲ ଦର ଅପରିବର୍ତ୍ତିତ ଥିଲା। ଅନ୍ୟପକ୍ଷରେ, ପୁଣିଥରେ ମୁମ୍ବାଇରେ ପେଟ୍ରୋଲ ଦର ଲିଟର ପିଛା ୯୧ ଟଙ୍କା ପାର୍ କରିଛି। ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍‌ର ସୂଚନା ଅନୁସାରେ, ରାଜସ୍ଥାନର ଜୟପୁରରେ ପେଟ୍ରୋଲ ଦର ଲିଟର ପିଛା ୯୧ ଟଙ୍କା ୯୦ ପଇସାରେ ପହଞ୍ଚିଥିବା ବେଳେ ଡିଜେଲ ଦର ଲିଟର ପିଛା ୮୩ ଟଙ୍କା ୯୨ ପଇସାରେ ପହଞ୍ଚିଛି।
ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ଆଜି ୮୪ ଟଙ୍କା ୪୫ ପଇସା ଥିବାବେଳେ ମୁମ୍ବାଇରେ ୯୧ ଟଙ୍କା ୭ ପଇସା, କୋଲକାତାରେ ୮୫ ଟଙ୍କା ୯୨ ପଇସା ଓ ଚେନ୍ନାଇରେ ୮୭ ଟଙ୍କା ୧୮ ପଇସା ରହିଛି।
ସେହିପରି, ଦିଲ୍ଲୀରେ ଡିଜେଲ ଦର ଲିଟର ପିଛା ୭୪ ଟଙ୍କା ୬୩ ପଇସା ଥିବାବେଳେ ମୁମ୍ବାଇରେ ୮୧ ଟଙ୍କା ୩୪ ପଇସା, କୋଲକାତାରେ ୭୮ ଟଙ୍କା ୨୨ ପଇସା ଓ ଚେନ୍ନାଇରେ ୭୯ ଟଙ୍କା ୯୫ ପଇସା ରହିଛି।

LEAVE A REPLY

Please enter your comment!
Please enter your name here