ଆଜିର ଦିନରେ ବି ବିଡମ୍ବନାର ଦୃଶ୍ୟ । ଧର୍ମାନନ୍ଦଙ୍କ ପାଇଁ ଯେମିତି ଜିଇଁବାର ହକ୍ ନାହିଁ । ପାପ ନକରି ବି ଜୀବନ କଟୁଛି ପଶୁ ଭଳି । ଧର୍ମାନନ୍ଦଙ୍କ ଘର ଅଛି , ଗାଁ ଅଛି , ବନ୍ଧୁବାନ୍ଧବ ବି ଅଛନ୍ତି । ହେଲେ ଧର୍ମାନନ୍ଦଙ୍କର ଏମିତି ଦୟନୀୟ ଦଶା କାହିଁକି । ଶୁଣନ୍ତୁ, ଥରିଲା କଣ୍ଠରେ କଣ କହୁଛନ୍ତି ଧର୍ମାନନ୍ଦ .. ବାପା ମା’ ଚାଲିଯିବା ପରେ ବାହାର ରାଜ୍ୟର ଏକ ଘରୋଇ କମ୍ପାନୀରେ ମାର୍ବଲ ଟାଇଲ କାମ କରିଆସୁଥିଲେ ଧର୍ମାନନ୍ଦ । ହେଲେ ଅଚାନକ ବେକରେ ବଥଟିଏ ବାହାରିଲା । ବଥଟିଏ ବଢି ଟ୍ୟୁମର ଆଡକୁ ଗତି କଲା । ପରେ ଯନ୍ତ୍ରଣା ସହି ନପାରି ଗାଁରେ ଥିବା ଭାଇ ଭାଉଜଙ୍କ ପାଖକୁ ଚାଲିଆସିଥିଲେ ଧର୍ମାନନ୍ଦ । ଭାବିଥିଲେ ଭାଇ ଭାଉଜଙ୍କ ପାଖରେ ରହି ଚିକିତ୍ସା କରାଇବେ । ହେଲେ ଧର୍ମାନନ୍ଦଙ୍କୁ ଗଳାଧକା ଦେଇ ଘରୁ ବାହାର କରିଦେଲା ରକ୍ତ ସମ୍ପର୍କ ଭାଇ । ଧର୍ମାନନ୍ଦ ଯିବେ କୁଆଡେ, ବଥର ଯନ୍ତ୍ରଣାଠୁ ବଳିଗଲା ଭୋକର ଯନ୍ତ୍ରଣା । ଭିକ୍ଷା ବୃତ୍ତି କରି ଓଳିଏ ଖାଇଲେ ଓଳିଏ ଉପାସ ରୁହନ୍ତି । ଆଉ ମୁଣ୍ଡ ଗୁଞ୍ଜିବାକୁ ବାଛିନେଲେ ହୋମ ପାଇପକୁ । କପ୍ତିପଦା ବ୍ଲକ ଜାମଡିହା ପଞ୍ଚାୟତର ପେଟାଶାଳ ହାଟ ପାଖରେ ଥିବା ହୋମ ପାଇପ ହିଁ ତାଙ୍କର ସବୁ କିଛି । ସରକାରୀ ଯୋଜନା ଧର୍ମାନନ୍ଦଙ୍କ ପାଇଁ ଯେମିତି ଉପହାସ ପାଲଟିଛି । ବର୍ଷେ ହୋଇଗଲାଣି ଏଇ ରାସ୍ତା ଦେଇ ବନ୍ଧୁବାନ୍ଧବ , ନେତା , ସରପଞ୍ଚ ସମସ୍ତେ ଧର୍ମାନନ୍ଦଙ୍କୁ ଦେଖନ୍ତି । କିନ୍ତୁ ବାଟ ଆଡେଇ ଚାଲି ଯାଆନ୍ତି । ମାଳମାଳ ସରକାରୀ ଯୋଜନା ଯଦି ଧର୍ମାନନ୍ଦଙ୍କ ଭଳି ଲୋକଙ୍କ କାମରେ ନ ଲାଗିଲା, ତେବେ ଏତେସବୁ ଯୋଜନା ଉପହାସ ନୁହେଁ ତ ଆଉ କଣ ..

LEAVE A REPLY

Please enter your comment!
Please enter your name here