ଆସନ୍ତାକାଲି ବହୁ ଚର୍ଚ୍ଚିତ ପାଟକୁରା ନିର୍ବାଚନ ଶେଷ ହୋଇଛି । ଏହି ନିର୍ବାଚନରେ ଶାସକ ଦଳ ବିଜେଡି ବହୁ ଅନିୟମିତତା କରିଛି । ଶାସକ ଦଳ ସରକାରୀ କଳର ଅପବ୍ୟବହାର କରିବା ସହ ଭୋଟରଙ୍କୁ ପ୍ରଭାବିତ କରିଥିବା ଅଭିଯୋଗ କରିଛନ୍ତି ବିଜେପି ରାଜ୍ୟ ସଂପାଦିକା ଲେଖାଶ୍ରୀ ସାମନ୍ତ ସିଂହାର । ନିର୍ବାଚନ ପୂର୍ବରୁ ଶାସକ ଦଳ  କୋଟି କୋଟି ଟଙ୍କା ବାଣ୍ଟିଥିଲା । ଭୋଟର ମାନଙ୍କୁ ବିଭିନ୍ନ ସାମଗ୍ରୀର ଲୋଭ ଦେଖାଇ ଭୋଟରେ ପରିଣତ କରିବାକୁ ଚେଷ୍ଟା କରିଥିଲା ଶାସକ ବିଜୁ ଜନତା ଦଳ । ଯାହା ଏକ ଅଗଣତାନ୍ତ୍ରିକ ପନ୍ଥା ବୋଲି ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ କରିଛନ୍ତି ଲେଖାଶ୍ରୀ ସାମନ୍ତସିଂହାର । ଆସନ୍ତାକାଲି ନିର୍ବାଚନ ସମୟରେ ମଧ୍ୟ ଶାସକ ଦଳ ପ୍ରିଜାଇଡିଂ ଅଫିସରଙ୍କ ଜରିଆରେ ବହୁ ସ୍ଥାନରେ ଇଭିଏମ୍ ଅଦଳ ବଦଳ କରିଥିବା କହିଛନ୍ତି ଲେଖାଶ୍ରୀ । ପାଟକୁରାର ୨୨୦ ଏବଂ ୨୯୪ ନମ୍ବର ବୁଥରେ ଇଭିଏମ୍ ଅଦଳ ବଦଳ ହୋଇଥିବା ଲେଖାଶ୍ରୀ କହିବା ସହ ଏନେଇ ବିଜେପିର ଏକ ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ କମିଶନଙ୍କୁ ଭେଟିବ ବୋଲି କହିଛନ୍ତି । ପାଟକୁରା ରେ ୩୦୯ ଟି ବୁଥରେ ନିର୍ବାଚନ ଚାଲିଥିଲା । ୩୦୯ ବୁଥ ପାଇଁ ୩୦୯ ଟି ଇଭିଏମ୍ ମେଶିନ ଆବଶ୍ୟକ ଥିବା ବେଳେ କଣ ପାଇଁ ଆଉ ୧୦୦ ଟି ଇଭିଏମ୍ ମେଶିନ ପ୍ରିଜାଇଡିଂ ଅଫିସର ମାନଙ୍କୁ ଦିଆଯାଇଥିଲା ଏବଂ ୩୦୯ ଟି ବୁଥକୁ ଇଭିଏମ୍ ପହଞ୍ଚାଇବା ପାଇଁ ୩୦୯ ଟି ଗାଡି ଆବଶ୍ୟକ ଥିବାବେଳେ କଣ ପାଇଁ ୬୧୮ ଖଣ୍ଟ ଗାଡି ରଖାଯାଇଥିଲା ବୋଲି ଅଭିଯୋଗ କରିଛନ୍ତି ଲେଖାଶ୍ରୀ । ଯେଉଁ ପ୍ରିଜାଇଡିଂ ଅଫିସରଙ୍କୁ ପାଟକୁରା ନିର୍ବାଚନ ପାଇଁ ପଠାଯାଇଥିଲା ସେମାନଙ୍କୁ ସଠିକ ଟ୍ରେନିଂ ଦିଆଯାଇ ନଥିଲା । କେତେକ ସ୍ଥାନରେ ସେମାନେ ଇଭିଏମ୍ କୁ ଲକ୍ ମଧ୍ୟ କରିପାରି ନଥିବା କହିଛନ୍ତି ବିଜେପି ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର । ନିର୍ବାଚନ କମିଶନ ଉଚିତ ତଦନ୍ତ କରିବା ପାଇଁ ଦାବି କରିବା ସହ ୨୨୦ ଏବଂ ୨୯୪ ବୁଥରେ ପୁଣିଥରେ ନିର୍ବାଚନ କରିବାକୁ ବିଜେପି ଦାବି କରିଛି ।

LEAVE A REPLY

Please enter your comment!
Please enter your name here