ପ୍ରଥମେ ଲଭ୍ । ଲଭରୁ ଲିଭ୍ ଇନ୍ । ତିନିବର୍ଷ ଏକାଠି ରହିବା ପରେ ଭଟ୍ଟା ପଡିଥିଲା ପ୍ରେମରେ । କଥାରେ କଥାରେ ଝଗଡା ହେଉଥିଲା ଉଭୟଙ୍କ ମଧ୍ୟରେ । ଶେଷରେ ପ୍ରେମିକାକୁ ପ୍ରେମିକ ଅତି ବୀଭତ୍ସ ଭାବେ ହତ୍ୟା କରିବା ପରେ ଗଛ କଟା ମେସିନରେ ଖଣ୍ଡ ଖଣ୍ଡ କରି କାଟି ପ୍ରେସର କୁକରରେ ସିଝାଇଥିଲା । ମାତ୍ର ପାପ ଲୁଚାଇବା ପାଇଁ ସବୁ ପ୍ରୟାସ ଫେଲ୍ ମାରିଥିଲା । ମୁମ୍ବାଇ ପୋଲିସ ହାତରେ ଧରାପଡିଛି ପ୍ରେମିକ ମନୋଜ ସାହାଣି ।
କିଛି ମାସ ତଳେ ଦିଲ୍ଲୀର ଶ୍ରଦ୍ଧା ଓ୍ବାଲକର ନାମ୍ନୀ ଯୁବତୀଙ୍କୁ ତାଙ୍କ ପ୍ରେମିକ ଖଣ୍ଡ ଖଣ୍ଡ କରି କାଟି ସହରର ବିଭିନ୍ନ ସ୍ଥାନରେ ଫିଙ୍ଗି ଦେଇଥିଲା । ଏବେ ମୁମ୍ବାଇରେ ପୁଣି ସେମିତି ଏକ ବିଭତ୍ସ ଘଟଣା । ମନୋଜ ସାହାଣୀ ଓ ସରସ୍ବତୀ ବିଦ୍ୟା ମୁମ୍ବାଇର ଗୀତା ନଗରସ୍ଥିତ ଆକାଶଦୀପ ଆପ୍ରମେଣ୍ଟର ଏକ ଫ୍ଲାଟରେ ଲିଭ୍ ଇନରେ ରହୁଥିଲେ । ତିନିବର୍ଷ ଲିଭ୍ ଇନରେ ରହିବା ପରେ ସେମାନଙ୍କ ମଧ୍ୟରେ ମଝିରେ ମଝିରେ ଝଗଡା ହେଉଥିଲା । ଗତ କିଛି ଦିନ ହେବ ପଡୋଶୀ ସରସ୍ବତୀଙ୍କୁ ଆଉ ଦେଖିବାକୁ ପାଇ ନ ଥିଲେ । ମାତ୍ର ତାଙ୍କ ଫ୍ଲାଟରୁ ଦୁର୍ଗନ୍ଧ ଆସୁଥିଲା । ପଡୋଶୀଙ୍କ ମନରେ ସନ୍ଦେହ ହେଲା । ସେମାନେ ପୋଲିସ ଖବର ଦେବା ପରେ ଯାହା ପଦାକୁ ଆସିଥିଲା, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ପୋଲିସ ପହଞ୍ଚିବା ପରେ ଘର ଭିତରୁ ପ୍ରେସର କୁକରରେ ସିଝା ହୋଇଥିବା ଖଣ୍ଡ ବିଖଣ୍ଡିତ ମାଂସ ଜବତ କରିଥିଲା । ପ୍ରେମିକାକୁ ହତ୍ୟା କରିବା ପରେ ପ୍ରେମିକ ମନୋଜ ସାହାଣୀ ମୃତ ଦେହକୁ ଏକ ଗଛକଟା ମେସିନ ସାହାଯ୍ୟରେ କାଟି ଥିଲା । ଏବଂ ବାହାରକୁ ଜଣା ନ ପଡିବା ପାଇଁ ତାକୁ ପ୍ରେସରରେ ସିଝାଇ ରଖିଥିଲା । ତଥାପି ପାପର ସୁରାକ ନିବୁଜ ଘର ଭିତରୁ ବାହାରକୁ ଆସିଥିଲା । ପୋଲିସ ମନୋଜକୁ ଗିରଫ କରି ହତ୍ୟାକାଣ୍ଡର କାରଣ ଖୋଜୁଛି । କାରଣ 56 ବର୍ଷୀୟ ପ୍ରେମିକ ମନୋଜ ଏଯାଏଁ ପ୍ରେମିକାକୁ କାହିଁକି ହତ୍ୟା କଲେ, ମୁହଁ ଖୋଲି କହିନାହାଁନ୍ତି ।

LEAVE A REPLY

Please enter your comment!
Please enter your name here