ଭୁବନେଶ୍ୱର: ଗହଳିପୂର୍ଣ୍ଣ ରାସ୍ତା ମଝିରେ ଜଣେ ଯୁବକଙ୍କୁ ନିର୍ଦ୍ଦୟ ଭାବେ ପିଟିବା ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି। ବ୍ରହ୍ମପୁର ସହରର ଗିରି ରୋଡ୍ ଛକ ନିକଟରେ ରାତି ପ୍ରାୟ ୯ଟା ଲୋକଙ୍କ ଯିବା-ଆସିବା ଚାଲିଥିବା ସମୟରେ ହଠାତ୍ ଦୁଇ ଯୁବକ ମିଶି ଉମେଶ ରଥ ନାମକ ଜଣେ ଯୁବକଙ୍କ ଉପରକୁ ଆକ୍ରମଣ କରିଥିଲେ। ରାସ୍ତା ମଝିରେ ତାଙ୍କୁ ତଳେ ପକାଇ ଗୋଇଠା, ବିଧା ଏବଂ ନିର୍ମମ ମାଡ଼ ମାରୁଥିଲେ। ଉମେଶଙ୍କ ସହ ଥିବା ମହିଳା ବନ୍ଧୁ ଆକ୍ରମଣକାରୀଙ୍କୁ ଅଟକାଇବାକୁ ଚେଷ୍ଟା କରୁଥିଲେ। ଚିତ୍କାର କରି ବଞ୍ଚାଇବାକୁ ଅନୁରୋଧ କରୁଥିଲେ। କିନ୍ତୁ ଦୁର୍ବୃତ୍ତମାନେ କାହାର କଥା ଶୁଣି ନଥିଲେ। ଏହି ଭୟଙ୍କର ଦୃଶ୍ୟକୁ କେହି ମୋବାଇଲରେ ରେକର୍ଡ କରିଥିଲେ, ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଗୁରୁତର ଅବସ୍ଥାରେ ଉମେଶ ରଥ ଏବଂ ତାଙ୍କ ମହିଳା ବନ୍ଧୁଙ୍କୁ ଉଦ୍ଧାର କରି ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି। ଭିଡିଓ ଭାଇରାଲ ହେବା ପରେ ବୈଦ୍ୟନାଥପୁର ଥାନା ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି। ସେମାନେ ହେଲେ ହିଲପାଟଣାର ମୁକ୍ତତେଶ କୁମାର ସାହୁ ଓରଫ ମୁକେଶ ଏବଂ ତାଙ୍କ ସାନ ଭାଇ ଆଶିଷ କୁମାର ସାହୁ। ପ୍ରାଥମିକ ତଦନ୍ତରୁ ପୂର୍ବ ଶତ୍ରୁତାକୁ ନେଇ ଏହି ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି। ଜଣାପଡ଼ିଛି, ଉମେଶ ଗତ କିଛି ଦିନ ଧରି ଏକ ମାମଲାରେ ଫେରାର ଥିଲେ ଏବଂ ନିକଟରେ ଆଗୁଆ ଜାମିନ ପାଇଥିଲେ।












