ଭୁବନେଶ୍ବର: ସ୍ୱାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ ମଇତାପୁର ଅଞ୍ଚଳରେ ଏକ ଦୁର୍ଘଟଣା ଘଟିଛି। ପତାକା ଖୁଣ୍ଟ ପୋତିବା ବେଳେ ବିଦ୍ୟୁତ ଆଘାତରେ ଜଣେ କ୍ରୀଡ଼ା ଶିକ୍ଷକଙ୍କର ପ୍ରାଣହାନି ଘଟିଥିବା ବେଳେ ୨ ଜଣ ଛାତ୍ର ଗୁରୁତର ଆହତ ହୋଇଛନ୍ତି। ମୃତ ଶିକ୍ଷକ ଜଣକ ହେଲେ ଜଳେଶ୍ୱର ଅଞ୍ଚଳର ପ୍ରିୟବ୍ରତ ବେହେରା। ସେ ମଇତାପୁରସ୍ଥିତ ‘ରୟାଲ ହାଇସ୍କୁଲ ଓ ରୟାଲ ପବ୍ଲିକ ସ୍କୁଲ’ ନାମକ ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଖେଳ ଶିକ୍ଷକ ଭାବେ କାର୍ଯ୍ୟରତ ଥିଲେ। ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ୮ଟା ସମୟରେ ବିଦ୍ୟାଳୟ ପରିସରରେ ୮୦ତମ ସ୍ବାଧୀନତା ଦିବସ ପାଳନ ନିମନ୍ତେ ପତାକା ଉତ୍ତୋଳନ ପାଇଁ ପ୍ରସ୍ତୁତି ଚାଲିଥିଲା। ଏହି ସମୟରେ କ୍ରୀଡ଼ା ଶିକ୍ଷକ ପ୍ରିୟବ୍ରତ ପତାକା ଲଗାଇବା ପାଇଁ ଏକ ଲୁହା ପାଇପ୍ ନେଉଥିବା ବେଳେ ଉପରେ ଯାଇଥିବା ୧୧କେଭି ବିଦ୍ୟୁତ ତାରରେ ଅସାବଧାନତା ବଶତଃ ତାହା ଲାଗିଯାଇଥିଲା। ଫଳରେ ଶିକ୍ଷକ ପ୍ରିୟବ୍ରତ ଓ ନିକଟରେ ଥିବା ୩ ଜଣ ଛାତ୍ର ବିଦ୍ୟୁତ ଆଘାତର ଶିକାର ହୋଇଥିଲେ। ଗୁରୁତର ଅବସ୍ଥାରେ ସେମାନଙ୍କୁ ଭଦ୍ରକ ମେଡିକାଲକୁ ନିଆଯାଇଥିଲେ ହେଁ ଡାକ୍ତର ଶିକ୍ଷକ ପ୍ରିୟବ୍ରତଙ୍କୁ ମୃତ ଘୋଷଣା କରିଥିଲେ। ଦୁଇଜଣ ଛାତ୍ର ମୃତ୍ୟୁଞ୍ଜୟ ସାହୁ ଓ ଚିରାଗ ନାୟକ ଆହତ ହୋଇ ସିମୁଳିଆ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିବାର ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here