ଭୁବନେଶ୍ୱର: ଟାଟା ପାୱାରର ବିଦ୍ୟୁତ୍ ବଣ୍ଟନ କମ୍ପାନୀଗୁଡ଼ିକରେ କାର୍ଯ୍ୟରତ ଠିକା କର୍ମଚାରୀଙ୍କ ଆନ୍ଦୋଳନ ଉଗ୍ରରୂପ ଧାରଣ କରିଛି। ଲୋୟର ପିଏମଜିରେ ପ୍ରାୟ ୬୦ଦିନ ଧରି ଆନ୍ଦୋଳନରତ ଠିକା କର୍ମଚାରୀମାନେ ବୁଧବାର ଦିନ ହାଇପାୱାର ବିଦ୍ୟୁତ୍ ଖୁଣ୍ଟ ଉପରକୁ ଚଢ଼ି ପ୍ରତିବାଦ କରିଥିବାବେଳେ ରାଜ୍ୟ ସରକାର କଠୋର ଆଭିମୁଖ୍ୟ ପୋଷଣ କରିଛନ୍ତି। ରାଜ୍ୟ ସରକାର ଜନସାଧାରଣଙ୍କ ସେବାରେ କୌଣସି ପ୍ରକାରର ବ୍ୟାଘାତ ବରଦାସ୍ତ କରିବେ ନାହିଁ କିମ୍ବା ଅଯୌକ୍ତିକ ଦାବି ଆଗରେ ମୁଣ୍ଡ ନୁଆଁଇବେ ନାହିଁ ବୋଲି ରାଜ୍ୟ ଶକ୍ତି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ବିଧାନସଭାରୁ ଆନ୍ଦୋଳନରତ ଠିକା କର୍ମଚାରୀମାନଙ୍କୁ ରୋକଠୋକ୍ ଜଣାଇ ଦେଇଛନ୍ତି। ବିଧାନସଭା କାର୍ଯ୍ୟବିଧି ନିୟମ-୨୧୪ ଅନୁଯାୟୀ ଗୃହରେ ବିବୃତି ରଖି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି ଯେ, ଆନ୍ଦୋଳନକାରୀମାନେ ଆଜି ୩୩ କେଭି, ୧୩୨ କେଭି ଓ ୪୦୦ କେଭି ଉଚ୍ଚ କ୍ଷମତାସମ୍ପନ୍ନ ବିଦ୍ୟୁତ୍ ଖୁଣ୍ଟ ଉପରକୁ ଚଢ଼ି ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ କରିବାକୁ ଉଦ୍ୟମ କରିଛନ୍ତି, ଯାହାକି ଏକ ବିଧ୍ୱଂସକାରୀ କାର୍ଯ୍ୟ ଓ କଦାପି ଗ୍ରହଣୀୟ ନୁହେଁ । ଏଭଳି ବିଦ୍ୟୁତ୍ ବିଭ୍ରାଟ ଦ୍ୱାରା ଭୁବନେଶ୍ୱରସ୍ଥିତ ଏମସ, କଟକ ଏସସିବି ମେଡିକାଲ କଲେଜ ଓ ବିଭିନ୍ନ ଜିଲ୍ଲା ମୁଖ୍ୟାଳୟର ହଜାର ହଜାର ରୋଗୀଙ୍କ ଜୀବନ ବିପନ୍ନ ହେବାର ଆଶଙ୍କା ରହିଛି। ଏହାସହିତ ବିମାନବନ୍ଦର, ରେଳ ଷ୍ଟେସନ ଭଳି ଗୁରୁତ୍ୱପୂର୍ଣ୍ଣ ଜରୁରୀକାଳୀନ ସେବା ବାଧାପ୍ରାପ୍ତ ହୋଇ ସାଧାରଣ ନାଗରିକମାନେ ଘୋର ଅସୁବିଧାର ସମ୍ମୁଖୀନ ହେବେ । ଏଭଳି ବେଆଇନ ଓ ଅଯୌକ୍ତିକ ଦାବି ଆଗରେ ସରକାର କଦାପି ନଇଁବେ ନାହିଁ ଓ ଆଇନକୁ ହାତକୁ ନେଇ ଜରୁରୀ ସେବା ବାଧାପ୍ରାପ୍ତ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି।













