ନୂଆଦିଲ୍ଲୀ: ପୂର୍ବ ଆଫ୍ରିକାର ଜିବୁଟିଠାରୁ ୟେମେନ ଅଭିମୁଖେ ଯାଉଥିବା ଏକ ପ୍ରବାସୀ ବୋଝେଇ ଡଙ୍ଗା ସମୁଦ୍ରରେ ବୁଡ଼ିଯିବାରୁ ଏକ ବଡ଼ଧରଣର ଦୁର୍ଘଟଣା ଘଟିଛି। ଏହି ମର୍ମନ୍ତୁଦ ଘଟଣାରେ ୧୫ ଜଣ ଶିଶୁଙ୍କ ସମୟତ ମୋଟ ୧୩୯ ଜଣଙ୍କର ପ୍ରାଣହାନୀ ଘଟିଛି। ଅନ୍ତର୍ଜାତୀୟ ପ୍ରବାସ ସଂଗଠନ (IOM) ପକ୍ଷରୁ ଏହି ସୂଚନା ଦିଆଯାଇଛି। ଆଇଓଏମର ସୂଚନା ଅନୁଯାୟୀ, ମୋଟ ୩୦୫ ଜଣ ପ୍ରବାସୀଙ୍କୁ ନେଇ ଯାଉଥିବା ଡଙ୍ଗାଟି ଗତ ଅକ୍ଟୋବର ୮ କିମ୍ବା ୯ ତାରିଖ ସକାଳେ ସମୁଦ୍ରରେ ଓଲଟି ପଡ଼ିଥିଲା। ଘଟଣା ପରେ ଉଦ୍ଧାରକାରୀ ଦଳ ୮୪ ଜଣଙ୍କୁ ଜୀବନ୍ତ ଉଦ୍ଧାର କରିବାରେ ସଫଳ ହୋଇଥିବାବେଳେ ଏବେ ବି ଶହେରୁ ଅଧିକ ଲୋକ ନିଖୋଜ ଅଛନ୍ତି। ନିଖୋଜ ବ୍ୟକ୍ତିମାନଙ୍କ ସନ୍ଧାନ ଜାରି ରହିଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି। ଆଫ୍ରିକାର ଏହି ଅଞ୍ଚଳରୁ ହଜାର ହଜାର ଲୋକ ଉନ୍ନତ ଜୀବନ ଓ ଆର୍ଥିକ ସୁଯୋଗ ଆଶାରେ ବିପଦପୂର୍ଣ୍ଣ ଜଳପଥ ଦେଇ ଖାଡ଼ି ଦେଶଗୁଡ଼ିକୁ ଯାତ୍ରା କରୁଛନ୍ତି। ୟେମେନରେ ଗୃହଯୁକ୍ତ ଓ ଅସ୍ଥିରତା ଲାଗି ରହିଥିଲେ ମଧ୍ୟ ପ୍ରବାସୀମାନଙ୍କ ଏଭଳି ବେଆଇନ ଓ ବିପଦପୂର୍ଣ୍ଣ ଜଳଯାତ୍ରା ବନ୍ଦ ହେଉନାହିଁ।

LEAVE A REPLY

Please enter your comment!
Please enter your name here